ପୁରୀ: ସାପ ନଥିଲା ରତ୍ନଭଣ୍ଡାର ଭିତରେ । ଚେମଣି ଗୁଡ଼ାଏ ଥିଲେ । ଆଜି
ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ୧ଟା ୨୮ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇଛି।
ରତ୍ନଭଣ୍ଡାର ଖୋଲିବା ପାଇଁ ଗଠନ କରାଯାଇଥିବା ସ୍ବତନ୍ତ୍ର ଟିମ୍ ପ୍ରଥମେ ବାହାର ରତ୍ନଭଣ୍ଡାର
ଖୋଲିଥିଲେ। ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିବା ପରେ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଛି।
ଏହାକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତରିତ କରାଯାଇଛି। ବାହାର ରତ୍ନଭଣ୍ଡାର ଖୋଲିବାର
ପ୍ରାୟ ୨ ଘଣ୍ଟା ପରେ ଭିତର ରତ୍ନଭଣ୍ଡାର ତାଲା କଟା ଯାଇ ଖୋଲାଯାଇଥିଲା। ଚାବିରେ ନ ଖୋଲିବାରୁ
କଟରରେ କଟା ଯାଇଥିଲା। ଭିତର ରତ୍ନଭଣ୍ଡାରର ଅଳଙ୍କାର କେବଳ ଦେଖାଯାଇଛି। କିନ୍ତୁ କ’ଣ ରହିଛି, ସେନେଇ ଜଣାପଡ଼ି
ନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ତା ଭିତରେ ସାପ ଥିବା ନେଇ ବାରମ୍ବାର ଚର୍ଚ୍ଚା ହେଉଥିଲା ।
ଏହାସହ ୨୦୧୮ ମସିହାରେ ରତ୍ନଭଣ୍ଡାର ଖୋଲିବା ନେଇ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେଥିରେ
ରତ୍ନଭଣ୍ଡାର ଭିତରେ ସାପ ଥିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ହେଲେ ଆଜି ୧୫ ଜଣିଆ କମିଟି
ସଦସ୍ୟମାନେ ରତ୍ନଭଣ୍ଡାରର ପ୍ରଥମ ଗୃହକୁ ପ୍ରବେଶ କରି ଫେରିଛନ୍ତି । ସେମାନେ ବାହାରକୁ ଆସିବା
ପରେ ରତ୍ନଭଣ୍ଡାର ଭିତରେ କୌଣସି ସାପ ନଥିବା କଥା କହିଛନ୍ତି । ସାପ ଥିବା ଚର୍ଚ୍ଚା ଭିତରେ
କମିଟି ସଦସ୍ୟ ଭିତରକୁ ଯିବା ପୂର୍ବରୁ ସ୍ନେକ ହେଲପଲାଇନକୁ ପ୍ରସ୍ତୁତ କରାଯାଇଥିଲା । ସେପଟେ
ଜଣେ ସେବାୟତ କହିଛନ୍ତି କି,
ରତ୍ନଭଣ୍ଡାର ଭିତରେ ପାଣି ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲେଖିଛନ୍ତି, ଜୟ ଜଗନ୍ନାଥ ହେ
ମହାପ୍ରଭୁ! ତୁମେ ଲୀଳାମୟ। ତୁମ ଇଚ୍ଛାରେ ଏ ସାରା ସଂସାର ଆତଯାତ ହେଉଛି। ତୁମେ ଓଡ଼ିଆ ଜାତିର
ହୃତ୍ ସ୍ପନ୍ଦନ। ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ଶ୍ରେଷ୍ଠ ପରିଚୟ। ତୁମ ଇଚ୍ଛାରେ
ଓଡ଼ିଆ ଜାତି ଆଜି ତାର ଅସ୍ମିତାର ପରିଚୟକୁ ନେଇ ଆଗକୁ ବଢ଼ିବାକୁ ଉଦ୍ୟମ ଆରମ୍ଭ କରିଛି। ତୁମ
ଇଚ୍ଛାରେ ପ୍ରଥମେ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିଲା। ତୁମ ଇଚ୍ଛାରେ ୪୬ ବର୍ଷ ପରେ ଆଜି ଏକ
ମହତ୍ ଉଦ୍ଦେଶ୍ୟ ନେଇ ରତ୍ନ ଭଣ୍ଡାର ଖୋଲାଗଲା। ଏ ମହାନ୍ କାର୍ଯ୍ୟ ସଫଳ ହେବ ବୋଲି ମୋର ଦୃଢ଼
ବିଶ୍ୱାସ। ତୁମ ଆଶୀର୍ବାଦରେ ପ୍ରତ୍ୟେକ ଓଡ଼ିଆ ଜାତି, ଗୋଷ୍ଠୀ,
ବର୍ଣ୍ଣ ଓ ସର୍ବୋପରି ରାଜନୀତିର ଭେଦକୁ ଭୁଲି ଆଧ୍ୟାତ୍ମିକ ଓ ଭୌତିକ ଜଗତରେ ଓଡ଼ିଶାର ଏକ
ନୂଆ ପରିଚୟ ସୃଷ୍ଟି କରିବାକୁ ଅଗ୍ରସର ହେଉ,
ଏତିକି ପ୍ରାର୍ଥନା। ଜୟ ଜଗନ୍ନାଥ