ଓଡ଼ିଶାରେ ବିଜେପିର ନୂଆ
ସରକାର ଆସିଛି । ନୂଆ ସରକାର ଏବେ ବଜେଟ ପ୍ରସ୍ତୁତ କରିବାକୁ ଆଲୋଚନା କରୁଛନ୍ତି । ରାଜ୍ୟ ବଜେଟ
କିପରି ହେବ ତାକୁ ନେଇ ଚର୍ଚା ଜାରି ରହିଛି । ସ୍ବାସ୍ଥ୍ୟ, ଶିକ୍ଷା, ମହିଳା, ଯୁବ, ରୋଜଗାର ଉପରେ ରାଜ୍ୟ ସରକାର ଏଥର ପ୍ରାଧାନ୍ୟ ଦେବେ । ୨୦୨୪-୨୫
ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାରଙ୍କୁ ପ୍ରାୟ ୧୨ହଜାର ପରାମର୍ଶ ସାଧାରଣ ଲୋକଙ୍କଠୁ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସବୁକୁ ନେଇ ତର୍ଜମା
କରାଯାଉଥିବା କହିଛନ୍ତି । ଆସନ୍ତା ୨୫ତାରିଖରେ
ରାଜ୍ୟର ପ୍ରଥମ ବିଜେପି ସରକାର ନିଜର ପ୍ରଥମ ବଜେଟ୍ ବିଧାନସଭାରେ ଉପସ୍ଥାପନ କରିବେ । ଯାହାକୁ
ନେଇ ଆଲୋଚନା ଜାରି ରହିଛି ।
ଏନେଇ ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ସହ ପ୍ରାକ୍ ବଜେଟ୍
ଆଲୋଚନା ଉପରେ ଆଲୋଚନା କରୁଛନ୍ତି । ୨୫ତାରିଖରେ ପୂର୍ଣ୍ଣାଙ୍ଗ ବାର୍ଷିକ ବଜେଟ୍ ବିଧାନସଭାରେ
ଉପସ୍ଥାପନ କରାଯିବା ପୂର୍ବରୁ ଏହି ଆଲୋଚନା ଜାରି ରହିଛି । ପୂର୍ବତନ ଅର୍ଥମନ୍ତ୍ରୀ ଓ ଅର୍ଥ
ସଚିବ, ବିଭିନ୍ନ
ବର୍ଗ ଲୋକ, ବିଶେଷଜ୍ଞ
ଓ ସଂଗଠନ ସହ ବିଚାରବିମର୍ଶ ହୋଇଛି । ସେମାନେ ବି ପରାମର୍ଶ ଦେଇଛନ୍ତି । ସମସ୍ତେ ନିଜ ନିଜର ପରାମର୍ଶ ଦେଇଛନ୍ତି । ବଜେଟ୍ ପ୍ରସ୍ତୁତିରେ ସମସ୍ତଙ୍କ ମତାମତକୁ ପ୍ରାଥମିକତା
ଦିଆଯିବ । ଆଗାମୀ ବଜେଟରେ ଏସବୁ ମତାମତକୁ ପ୍ରତିଫଳିତ କରିବାକୁ ସରକାର
ଯଥାସମ୍ଭବ ଉଦ୍ୟମ କରି ଲୋକଙ୍କ ଆଶାଆକାଂକ୍ଷାକୁ ପୂରଣ କରିବାକୁ ପ୍ରଚେଷ୍ଟା କରିବେ ବୋଲି
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ତେବେ ସରକାରଙ୍କ ନିକଟରେ ପୁଞ୍ଜି କେତେ ରହିଛି
ଏବଂ କେତେ ନୂଆ ଯୋଜନା ଲାଗୁ କରିପାରିବେ ତାହା ବଡ଼ ଚ୍ୟାଲେଂଜ ରହିଛି । କେନ୍ଦ୍ର ସରକାରଙ୍କ
ଉପରେ ରାଜ୍ୟ ସରକାର ନିଶ୍ଚୟ ଅଧିକ ଅନୁଦାନ ଆଶା ରଖିବେ ବୋଲି କୁହାଯାଉଛି ।
ପ୍ରାକ୍ ବଜେଟ୍ ଆଲୋଚନାରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ
ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ଅର୍ଥବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଓ ବରିଷ୍ଠ ଅଧିକାରୀମାନେ
ଉପସ୍ଥିତ ଥିଲେ । ଏହି ଆଲୋଚନାରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ପଂଚାନନ କାନୁନଗୋ, ଶଶୀଭୂଷଣ ବେହେରା
ପ୍ରମୁଖ ମଧ୍ୟ ନିଜର ମତ ରଖିଥିବା ଜଣାପଡ଼ିଛି ।