ପୁରୀ: ଚଳିତ ରଥଯାତ୍ରାରେ ନୀତିରେ ହୋଇଛି ମହାବିଭ୍ରାଟ । ଏନେଇ ବିଭିନ୍ନ ସେବାୟତ ଖୋଲାଖୋଲି ଗଣମାଧ୍ୟମରେ
ମୁହଁ ଖୋଲି କହୁଛନ୍ତି । ତେବେ ବାହୁଡ଼ା ପୂର୍ବରୁ ସମସ୍ତ ନୀତିକୁ ବ୍ୟବସ୍ଥିତ କରିବାକୁ ସାଧାରଣରେ ଦାବି ହେଉଛି । ବଳଭଦ୍ରଙ୍କ ଆଡ଼ପ ପହଣ୍ଡି ଅଘଟଣ ବେଳେ ତାଳଧ୍ୱଜ ରଥ ଉପରେ ସେବକଙ୍କ
ସଂଖ୍ୟା ଅଧିକ ଥିଲା । ସେହିପରି ଅନ୍ୟତମ ପ୍ରମୁଖ କାରଣ ଭାବେ ହୁଗୁଳା ପାଟଡୋର ବନ୍ଧା ଏବଂ
ଅନଭିଜ୍ଞଙ୍କ ହାତରେ ପହଣ୍ଡି ଡୋରି ରହିବା ଅର୍ଥାତ୍ ପହଣ୍ଡି ସମୟରେ ଯେଉଁ ଅଭିଜ୍ଞ ସେବକ ରହିବା
କଥା ସେମାନଙ୍କ ବଦଳରେ ଅନଭିଜ୍ଞ ଯୁବକଙ୍କୁ ଦାୟିତ୍ୱ ଦିଆଯିବା ଅନେକ ସେବାୟତ ଅଭିଯୋଗ
କରିଛନ୍ତି । ଆଡ଼ପ ପହଣ୍ଡି ବିଭ୍ରାଟ ପାଇଁ
ଚାରମାଳକୁ ବି ଦାୟୀ କରାଯାଉଛି। ରଥ ଯାତ୍ରା ପୂର୍ବରୁ ଏବଂ ପରେ ସବୁ ନୀତିନିୟମକୁ ଦଳିଚକଟି ଦିଆଯାଇଛି ବୋଲି
ସେବାୟତମାନେ ଅଭିଯୋଗ କରୁଛନ୍ତି।ବଡ଼ଠାକୁରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର। ଏଥିପାଇଁ
ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ,
ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ସେ ଦାୟୀ କରିଛନ୍ତି। ଶହ ଶହ ବର୍ଷ ଧରି ଚାଲି
ଆସୁଥିବା ନୀତିରେ କିଛି ସେବାୟତ ଙ୍କ ଦ୍ବାରା ମହାବିଭ୍ରାଟ କରାଯାଇଛି।
ବର୍ଷବର୍ଷର ପରମ୍ପରାକୁ ଭାଙ୍ଗି ନୀତିକାନ୍ତି ହୋଇଛି। ଅଣସର ଘରେ ସେନାପଟା ଲାଗି ହୋଇଛି।
ହଜାର ହଜାର ବର୍ଷର ରଥ ଆଜ୍ଞାମାଳ ବିଧିକୁ ବି ଭାଙ୍ଗି ଦିଆଯାଇଛି। ଭୋକଉପାସରେ ଠାକୁରଙ୍କୁ
ପହଣ୍ଡି କରି ଅଣାଯାଇଛି। ପ୍ରତିପଦ ବଦଳରେ ଦ୍ବିତୀୟାରେ ହୋଇଛି ନେତ୍ରୋତ୍ସବ ଓ ନବଯୌବନ।
ପହଣ୍ଡି ବେଳେ ବଡ଼ଠାକୁର ଶ୍ରୀବଳଭଦ୍ର ଚାରମାଳ ଉପରେ ପଡ଼ିଯିବା ଭଳି ବଡ଼ ଅଘଟଣ ପରେ ଏଭଳି ବିଷ
ଓଗାଳିଛନ୍ତି । ଖାଲି ସେ ନୁହଁନ୍ତି ବଡ଼ ଠାକୁରଙ୍କ
ପଡ଼ିଯିବାକୁ ନେଇ ସାରା ରାଜ୍ୟରେ ଜଗନ୍ନାଥ ପ୍ରେମୀମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଅଧିକ
ସେବାୟତ ରଥରେ ଚଢ଼ିବା, ନୀତି
ନିୟମ ନମାନିବାକୁ ନେଇ ସେବାୟତମାନଙ୍କୁ ଦାୟୀ କରାଯିବାକୁ ବରିଷ୍ଠ ନାଗରିକମାନେ ଦାବି କରୁଛନ୍ତି
। ଏହି ଘଟଣାକୁ ନେଇ ସରକାର ମଧ୍ୟ ତଦନ୍ତ କରିବେ ବୋଲି କହିଛନ୍ତି । ତେବେ ଏବେ ପରିଚାଳନା
କମିଟି ପାଇଁ ରତ୍ନଭଣ୍ଡାର ଖୋଲିବା ବଡ଼ ପ୍ରସଙ୍ଗ ହୋଇଛି । ନୂଆ ଶ୍ରୀମନ୍ଦିର ପ୍ରଶାସକ କିପରି
ନୀତି ନିୟମ ପାଳନ ପାଇଁ କାର୍ଯ୍ୟ କରୁଛନ୍ତି ତାହା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି ।