ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ
କାର୍ଯ୍ୟକାଳ ସମୟରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା । ୧୯୭୫ ମସିହା ଜୁନ୍ ୨୫ ତାରିଖରେ ସମଗ୍ର ଦେଶରେ ଜରୁରୀକାଳୀନ
ପରିସ୍ଥିତି ଲାଗୁ କରିଥିଲେ ତତ୍କାଳୀନ ସରକାର ।
ଇନ୍ଦିରାଙ୍କ ଏହି ନିଷ୍ପତ୍ତି ବେଶ ବିବାଦୀୟ
ଥିଲା। ଇନ୍ଦିରା ସରକାର ଏହାକୁ କାର୍ଯ୍ୟକାରୀ କରିବାର କାରଣ ଭାବେ ରାଜନୈତିକ ଅସ୍ଥିରତାକୁ ମଧ୍ୟ
ଦର୍ଶାଇଥିଲେ। ଯାହାକୁ ନେଇ ମୋଦି ସରକାର ବଡ଼ ଘୋଷଣା କରିଛନ୍ତି । ମୋଦୀ ସରକାର ଜୁନ୍ ୨୫କୁ ‘ସମ୍ବିଧାନ ହତ୍ୟା
ଦିବସ’ ଭାବେ
ଘୋଷଣା କରିଛନ୍ତି। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୭୫ ଜୁନ୍
୨୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା। ଗୃହମନ୍ତ୍ରୀ ଅମିତ ଶାହ ସୋସିଆଲ ମିଡିଆ ପ୍ଲାଟଫର୍ମ
ଏକ୍ସରେ ଜୁନ୍ ୨୫କୁ ସମ୍ବିଧାନ ହତ୍ୟା ଦିବସ ଭାବେ ଘୋଷଣା କରିବା ନେଇ ସୂଚନା ଦେଇ ଲେଖିଛନ୍ତି ଯେଉଁମାନେ ଏକଛତ୍ରବାଦୀ ସରକାରଙ୍କ ଅଗଣିତ ନିର୍ଯାତନା ଏବଂ
ଅତ୍ୟାଚାରର ସମ୍ମୁଖୀନ ହୋଇ ଗଣତନ୍ତ୍ରକୁ ପୁନରୁଦ୍ଧାର କରିବା ପାଇଁ ସଂଗ୍ରାମ କରିଥିଲେ। ତାହାଙ୍କୁ
ସମ୍ମାନ ଦେବା ଏବଂ ମନେପକାଇବା ହେଉଛି ଏହି ଦିବସର ତାତ୍ପର୍ଯ୍ୟ । ଗଣତନ୍ତ୍ରର ସୁରକ୍ଷା ଏବଂ
ବ୍ୟକ୍ତିଗତ ସ୍ୱାଧୀନତାର ଅମର ଜ୍ୟୋତିକୁ ପ୍ରତ୍ୟେକ ଭାରତୀୟଙ୍କ ଭିତରେ ବଞ୍ଚାଇ ରଖିବା ପାଇଁ ‘ସମ୍ବିଧାନ ହତ୍ୟା
ଦିବସ’ କାର୍ଯ୍ୟ
ପାଳନ କରାଯିବ ।