ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତିଙ୍କ ସହ କଣ ଆଲୋଚନା କଲେ ତାକୁ ନେଇ ଚର୍ଚା ଲାଗି ରହିଛି । ବିଶେଷ କରି ପଶ୍ଚିମ ରାଷ୍ଟ୍ରମାନେ ଭାରତର ଏହି ଆଲୋଚନାକୁ ନେଇ ତୀଖ୍ନ ନଜର ରଖିଛନ୍ତି । ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ମୋଦିଙ୍କ ବନ୍ଧୁତାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଆଲୋଚନା ଟ୍ରେଣ୍ଡ କରୁଛି । ତେବେ ମୋଦିଙ୍କୁ ଭବ୍ୟ ସ୍ବାଗତ ମିଳିଛି ଋଷରେ । ପ୍ରଧାନମନ୍ତ୍ରୀ ମୋଦି ୫ ବର୍ଷ ମଧ୍ୟରେ ପ୍ରଥମ କରି ରୁଷ ଗସ୍ତରେ ଯାଇଛନ୍ତି। ୟୁରୋପ ସମେତ ଆମେରିକା ରୁଷିଆ ଉପରେ ଅନେକ କଠୋର କଟକଣା ଲଗାଇଥିବା ବେଳେ ମୋଦୀଙ୍କ ଗସ୍ତ ଉପରେ ସାରା ବିଶ୍ୱ ନଜର ରଖିଛି। ଏହି କଟକଣାର କାରଣ ୟୁକ୍ରେନ ଉପରେ ଆକ୍ରମଣ ବୋଲି କୁହାଯାଉଛି। ଅନ୍ତିମ ଥର ମୋଦୀ ୨୦୨୨ ମସିହାରେ ପୁଟିନଙ୍କୁ ଭେଟିଥିଲେ । କିନ୍ତୁ ଏହି ଭେଟଘାଟ ମସ୍କୋରେ ନୁହେଁ ବରଂ ଉଜବେକିସ୍ତାନର ସମରକାଣ୍ଡର ଏସସିଓ ସମ୍ମିଳନୀରେ ହୋଇଥିଲା ।
ମୋଦୀ ପୁଟିନଙ୍କୁ କହିଥିଲେ ଯେ ଏବେ ଯୁଦ୍ଧର ଯୁଗ ନୁହେଁ। ନୂଆଦିଲ୍ଲୀ ଏବଂ ମସ୍କୋ ମଧ୍ୟରେ ଦଶନ୍ଧି ଧରି ଉତ୍ତମ ସମ୍ପର୍କ ରହିଛି। ବିଶେଷକରି ୧୯୭୧ରେ ଯେତେବେଳେ ଭାରତ-ସୋଭିଏତ ଶାନ୍ତି, ବନ୍ଧୁତା ଏବଂ ସହଯୋଗ ଚୁକ୍ତି ଭାରତ ଏବଂ ପୂର୍ବତନ ସୋଭିଏତ ସଂଘ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା। ଏସିଆରେ ଆମେରିକୀୟ ଓ ଚୀନର ଆଧିପତ୍ୟକୁ ସନ୍ତୁଳିତ କରିବା ପାଇଁ ମସ୍କୋ ଆରମ୍ଭରୁ ଭାରତ ସହ ସହଯୋଗକୁ ଜରୁରୀ ମନେ କରୁଛି । ଅନ୍ତର୍ଜାତୀୟ ରାଜନୀତିରେ ଭାରତକୁ ରୁଷ୍ ଭଳି ଏକ ପ୍ରମୁଖ ଶକ୍ତି ସର୍ବଦା ସମର୍ଥନ କରୁଛି।