ଲୀଳାମୟ ପ୍ରଭୁ ଜଗନ୍ନାଥଙ୍କ ଆଜି ରଥଯାତ୍ରା। ଭାରତର ଚାରି ଧାମ ମଧ୍ୟରୁ ଶ୍ରେଷ୍ଠ ଧାମ ପୁରୀକୁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଛି । ଉତ୍କଳର ଜାତୀୟ ଦେବତା ଶ୍ରୀଜଗନ୍ନାଥଙ୍କୁ ରଥ ଉପରେ ଦେଖିବାକୁ ପୁରୀରେ ଭିଡ଼ ଜମୁଛି । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ବା ଘୋଷଯାତ୍ରା ଦେଖିବାକୁ ଆସୁଛନ୍ତି ଭକ୍ତ । ତାଙ୍କର ଅପୂର୍ବ ଲୀଳାଖେଳା ଜଗତରେ ସବୁଠୁ ନିଆରା।
ବିଶ୍ବ ଦେବତା କେବଳ ଉତ୍କଳବାସୀଙ୍କ ପାଖରେ ଏବେ ବାନ୍ଧି ହୋଇ କେବଳ ରହି ନାହାନ୍ତି, ସାରା ବିଶ୍ବର କୋଣ ଅନୁକୋଣରେ ପ୍ରଭୁ ଜଗନ୍ନାଥଙ୍କର ସୁନାମ ବିଚ୍ଛୁରିତ। ପୁରୀର ଜଗନ୍ନାଥ ମନ୍ଦିର ହେଉଛି ଭାରତର
ଶ୍ରେଷ୍ଠ ଧାମ। ଅନ୍ୟ ତିନିଟି ପବିତ୍ର ଧାମ ରାମେଶ୍ବରମ୍(ଦକ୍ଷିଣ), ପଶ୍ଚିମରେ
ଦ୍ବାରିକା ଧାମ ଏବଂ ଉତ୍ତରରେ ବଦ୍ରିନାଥ ଧାମ। ଶ୍ରୀଜଗନ୍ନାଥ ହେଲେ ଭକ୍ତବତ୍ସଳ ଭାବଗ୍ରାହୀ।
ପ୍ରତ୍ୟେକ ଭକ୍ତ ଭକ୍ତିପୂତ ମନରେ ଧାଇଁ ଆସେ ପ୍ରଭୁଙ୍କର କରୁଣା ଲାଭ ପାଇଁ। ବଡ଼ ଠାକୁର ମଧ୍ୟ
ଜାତି, ଧର୍ମ,
ବର୍ଣ୍ଣ ନିର୍ବିଶେଷରେ ନିଜର ଲକ୍ଷ ଲକ୍ଷ ଭକ୍ତଙ୍କୁ
ଦର୍ଶନ ଦେଇ ପବିତ୍ର ରଥଯାତ୍ରାର ପରମ ଶାନ୍ତି ଅନୁଭବ ଲାଭ କରିଥାନ୍ତି। ଆମ ରଥଯାତ୍ରା ପୃଥିବୀକୁ
ମାନବବାଦ, ସମାନତା ଜାତି ବର୍ଣ୍ଣ ନିର୍ବିଶେଷରେ ଏକତ୍ବ ଭାବ ବିଶ୍ବଭାତୃତ୍ବ ସନ୍ଦେଶର
ବାର୍ତ୍ତା ଦେଇଥାଏ।
ଭାରତର ଶ୍ରେଷ୍ଠ ଧାମ ପୁରୀକୁ
ଶ୍ରୀକ୍ଷେତ୍ରଧାମ କହିବା ସଙ୍ଗେ ସଙ୍ଗେ ଅନ୍ୟ ନାମରେ ମଧ୍ୟ ବିଦିତ କରାଯାଏ। ଯଥା: ଶ୍ରୀକ୍ଷେତ୍ର, ଶଙ୍ଖକ୍ଷେତ୍ର, ମର୍ତ୍ତ୍ୟବୈକୁଣ୍ଠ, ଭୂସ୍ବର୍ଗ,
ନୀଳାଚଳ, ନୀଳାଦ୍ରିବିହାର, ନୀଳଶୈଳ,
କମ୍ବୁକଟକ, ପୁରୁଷୋତ୍ତମ ଧାମ, ଶଙ୍ଖନାଭିମଣ୍ଡଳ, ଜଗନ୍ନାଥ ଧାମ, ଦାରୁକ୍ଷେତ୍ର, ବ୍ରହ୍ମକ୍ଷେତ୍ର। ଆମ ଉତ୍କଳର ଜାତୀୟ ଦେବତା ଶ୍ରୀଜଗନ୍ନାଥ, ସେ ବଡ଼ ଠାକୁର ତାଙ୍କ ମନ୍ଦିର ବଡ଼ ମନ୍ଦିର। ତାଙ୍କ ଦାଣ୍ଡ ସବୁଠୁ ବଡ଼ଦାଣ୍ଡ, ତାଙ୍କ ପୂଜକ ବଡ଼ପଣ୍ଡା, ତାଙ୍କ ପ୍ରସାଦ ଭୋଗ ବଡ଼ଭୋଗ ମହାପ୍ରସାଦ, ତାଙ୍କ ପ୍ରାଚୀର ବଡ଼ପ୍ରାଚୀର ମେଘନାଦ ପ୍ରାଚୀର, ତାଙ୍କର ଯାତ୍ରା
ବଡ଼ଯାତ୍ରା ବିଶ୍ବର ସବୁଠୁ ବଡ଼ଯାତ୍ରା ଆମ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ବା ଘୋଷଯାତ୍ରା।
ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି
ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ
ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି ।
ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧.
ସ୍ନାନ ଉତ୍ସବ, ୨. ଅନବସର, ୩. ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ, ୪. ଶ୍ରୀଗୁଣ୍ଡିଚା, ୫. ହେରାପଞ୍ଚମୀ,
୬. ଆଡ଼ପ ପର୍ବ, ୭. ବାହୁଡ଼ା ଯାତ୍ରା ଓ ୮. ନୀଳାଦ୍ରି ବିଜେ । ପୁନଶ୍ଚ ରଥଯାତ୍ରା ୫ ଭାଗରେ
ବିଭକ୍ତ। ଯଥା ୧. ଅନ୍ତର୍ବେଦୀ, ୨. ମହାବେଦୀ ମହୋତ୍ସବ, ୩. ଆଡ଼ପ ଉତ୍ସବ, ୪. ଦକ୍ଷିଣାମୁଖୀ ଉତ୍ସବ ଓ ୫. ନୀଳାଦ୍ରି ବିଜେ । ଏହାକୁ ଗୁଣ୍ଡିଚା ପଞ୍ଚକ
କୁହଯାଏ ।
ରଥଯାତ୍ରା ବହୁ ପ୍ରାଚୀନ ବୋଲି ଗବେଷକମାନେ
ମତ ପ୍ରଦାନ କରିଛନ୍ତି । ଋଗ୍ବେଦ ଓ ଅଥର୍ବ ବେଦ ଇତ୍ୟାଦିରେ ରଥ ଶବ୍ଦର ପ୍ରୟୋଗ ଦେଖାଯାଏ ।
ପରବର୍ତ୍ତୀ କାଳରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ମଧ୍ୟ ଏହାର ଆଭାସ ମିଳିଥାଏ । ଖ୍ରୀଷ୍ଟପୂର୍ବ
ଦ୍ୱିତୀୟ ଶତାଦ୍ଦୀରୁ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀ ମଧ୍ୟରେ ଖୋଦିତ ହୋଇଥିବା କେତେକ ପ୍ରାଚୀନ
ଭାସ୍କର୍ଯ୍ୟକୁ ଅନୁଧ୍ୟାନ କଲେ ସୂର୍ଯ୍ୟଙ୍କ ରଥଯାତ୍ରାର ସମ୍ୟକ୍ ନିଦର୍ଶନ ମିଳିଥାଏ । ତେଣୁ
ସୂର୍ଯ୍ୟଙ୍କ ରଥଯାତ୍ରାର ପରବର୍ତ୍ତୀ ପରିକଳ୍ପନା ହେଉଛି ପୁରୁଷୋତ୍ତମ କ୍ଷେତ୍ରସ୍ଥ
ମହାପ୍ରଭୁଙ୍କ ରଥଯାତ୍ରା। ଯେଉଁ ସବୁ ରଥଯାତ୍ରାର ଉଲ୍ଲେଖ ହୋଇଛି ସେଥି ମଧ୍ୟରେ ପୁରୀର
ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଛି ସବୁଠାରୁ ଅଧିକ ଜନାଦୃତ ଓ ପ୍ରସାରିତ । କେତେକ ଗବେଷକ
ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବୌଦ୍ଧ ପରମ୍ପରାରୁ ସୃଷ୍ଟି ହୋଇଛି ବୋଲି ଅନୁମାନ କରନ୍ତି । କାରଣ
ଖ୍ରୀଷ୍ଟୀୟ ପଞ୍ଚମ ଶତାଦ୍ଦୀର ପ୍ରାରମ୍ଭରେ ଚୀନ ପରିବ୍ରାଜକ ଫାହିୟାନ୍ ଖୋଟାନରେ ଅନୁଷ୍ଠିତ
ରଥଯାତ୍ରାର ଯେଉଁ ବିବରଣୀ ଲିପିବଦ୍ଧ କରିଛନ୍ତି, ତାହା ଆଜିସୁଦ୍ଧା ପ୍ରଚଳିତ ଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ସହ ମେଳ
ଖାଉଛି ।