ନୂଆ ସରକାର ଆସିବା ପରେ ବଦଳିଛି ନିୟମ । ଲୋକଙ୍କୁ ସେବା ଯୋଗାଇବା
ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ମୋହନ ସରକାର । ଏଣିକି ସହରାଂଚଳରେ ପ୍ରୋଭିଜିନାଲ ଟ୍ରେଡ୍
ଲାଇସେନ୍ସ ଦିନକରେ ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଆଉ ଫାଇନାଲ ଟ୍ରେଡ୍
ଲାଇସେନ୍ସ ସର୍ବାଧିକ ୯୦ଦିନର ସମୟସୀମା ମଧ୍ୟରେ ମିଳିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।
ଏହାସହିତ ବିଲଡିଂ ପ୍ଲାନ୍ ପରିବର୍ତ୍ତନ,ସଂଶୋଧନ, ପୁନଃବୈଧକରଣ ଓ
ପ୍ଲିନଥ ଅନୁମୋଦନ ଆଦି ପାଇଁ ନଗର ଉନ୍ନୟନ ବିଭାଗ ଧାର୍ଯ୍ୟ ସମୟସୀମା ରଖିଛି । ଏହିସବୁ ସେବା ଯୋଗାଇ
ଦେବେ ରାଜ୍ୟ ସରକାର । ରାଜ୍ୟ ନଗର ଉନ୍ନୟନ ବିଭାଗର ୫ଟି ସେବାକୁ ଆଜି ଓଡ଼ିଶା ଲୋକସେବା ଅଧିକାର
ଆଇନ-୨୦୧୨ରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ନଗର
ଉନ୍ନୟନ ବିଭାଗ ଯେଉଁ ୫ଟି ନୂଆ ସେବାକୁ ଓଡ଼ିଶା
ଲୋକସେବା ଅଧିକାର ଆଇନ-୨୦୧୨ର ପରିସରଭୁକ୍ତ କରିଛି ସେଗୁଡ଼ିକ ହେଲା ନଗର ଉନ୍ନୟନ ବିଭାଗ ଏଣିକି
ବିଲଡିଂ ପ୍ଲାନର ପରିବର୍ତ୍ତନ ଓ ସଂଶୋଧନ ପାଇଁ ୧୫ରୁ ୩୦ଦିନ ମଧ୍ୟରେ ଅନୁମତି ଦେବ । ବିଲଡିଂ
ପ୍ଲାନର ପୁନଃବୈଧକରଣ ନିମନ୍ତେ ୭ଦିନ ସମୟସୀମା ଧାର୍ଯ୍ୟ ହୋଇଛି । ବିଲଡିଂ ପ୍ଲିନଥ ଅନୁମୋଦନ ସମୟସୀମା ମଧ୍ୟ ସର୍ବାଧିକ
୭ଦିନ ରହିଛି । ଟ୍ରେଡ୍ ଲାଇସେନ୍ସ ପ୍ରୋଭିଜିନାଲ
ସାର୍ଟିଫିକେଟ୍ ଦିନକ ମଧ୍ୟରେ ମିଳିବ । ଟ୍ରେଡ୍
ଲାଇସେନ୍ସ ଫାଇନାଲ ସାର୍ଟିଫିକେଟ୍ ୯୦ଦିନ ମଧ୍ୟରେ ମିଳିବ ।ନଗର ଉନ୍ନୟନ
ବିଭାଗ ଦ୍ୱାରା ସାଧାରଣ ଲୋକଙ୍କୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହି ୫ଟି ସେବା ଯୋଗାଇ ଦିଆଯିବ ।
ପୂର୍ବରୁ ବିଭାଗ ପକ୍ଷରୁ ୨୬ଟି ସେବା ଧାର୍ଯ୍ୟ ସମୟସୀମା ମଧ୍ୟରେ ଲୋକଙ୍କୁ ଯୋଗାଇ ଦିଆଯାଉଛି ।
ଓଡ଼ିଶା ଲୋକସେବା ଅଧିକାର ଆଇନ-୨୦୧୨ର ପ୍ରାବଧାନ ଆଧାରରେ ନଗର ଉନ୍ନୟନ ବିଭାଗ ଏହି ସେବାଗୁଡ଼ିକୁ
ରାଜ୍ୟବାସୀଙ୍କୁ ଯୋଗାଇ ଦେଉଛନ୍ତି । ଓଡ଼ିଶା ଲୋକସେବା ଅଧିକାର ଆଇନ-୨୦୧୨ ଅନ୍ତର୍ଗତ ରାଜ୍ୟ
ସରକାରଙ୍କ ୩୧ଟି ବିଭାଗ ୪୨୨ଟି ସେବା ସାଧାରଣ ଲୋକଙ୍କୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଯୋଗାଇ
ଦେଉଛନ୍ତି । କୌଣସି ଅଫିସ୍ ଏହି ସମୟସୀମାକୁ ଖିଲାପ କଲେ ସମ୍ପୃକ୍ତ ଅଫିସରଙ୍କ ବିରୁଦ୍ଧରେ
ଜୋରିମାନାର ପ୍ରାବଧାନ ରହିଛି ।