ଲଣ୍ଡନ: ବ୍ରିଟେନରେ କିଏ ସରକାର ଗଢ଼ିବ ଆଜି ସ୍ପଷ୍ଟ ହୋଇଯିବ । ଋଷିଙ୍କ ସରକାର ରହିବ କି ନୂଆ ସରକାର ଆସିବ ତାହା ବ୍ରିଟେନ ଲୋକ ସ୍ପଷ୍ଟ କରିବେ । ବ୍ରିଟେନର କୋଟିକୋଟି ଲୋକ ସାଧାରଣ ନିର୍ବାଚନରେ ମତଦାନ କରିଛନ୍ତି ଯାହା ବ୍ରିଟିସ ରାଜନୀତିକୁ ନୂଆ ରୂପ ଦେଇପାରେ। ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କଞ୍ଜରଭେଟିଭ୍ ପାର୍ଟିର ୧୪ ବର୍ଷ ଶାସନର ଅନ୍ତ ଘଟାଇ କେୟର ଷ୍ଟାର୍ମରଙ୍କ ନେତୃତ୍ୱାଧୀନ ଲେବର ପାର୍ଟିର ବିପୁଳ ବିଜୟ ହେବ ବୋଲି ଜନମତ ସର୍ବେକ୍ଷଣରୁ ଜଣାପଡ଼ିଛି। କିନ୍ତୁ ଅଧିକାଂଶ ଭାରତୀୟ ବଂଶୋଭବ ଋଷି ସୁନକଙ୍କୁ ସମର୍ଥନ କରି ଭୋଟ ଦେଇଥିବା କହିଛନ୍ତି । ତେବେ ମତଦାନ କାହା ସପକ୍ଷରେ ଯାଇଛି ତାହା ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ । ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ସୁନକ ଶେଷ ମୁହୂର୍ତ୍ତରେ ଲେବର ଦଳର ସମ୍ଭାବ୍ୟ ସଂଖ୍ୟାଗରିଷ୍ଠତା ରୋକିବାକୁ ମତଦାତାଙ୍କୁ ଅନୁରୋଧ କରିବା ସହ ଏହାଦ୍ୱାରା ଆଗାମୀ ଦିନରେ ସେମାନଙ୍କ ଉପରେ ଅଧିକ ଟିକସ ବୋଝ ପଡ଼ିବ ବୋଲି ଚେତାବନୀ ଦେଇଥିଲେ। ତେବେ ମତଦାତାମାନେ କାହାକୁ ଅଧିକ ସଂଖ୍ୟାରେ ଭୋଟ ଦେଇଛନ୍ତି ତାହା ଭୋଟ ଗଣତି ପରେ ଜଣାପଡ଼ିବ ।