ଓଡ଼ିଶାକୁ ମିଳିଲା ନୂଆ
ମୁଖ୍ୟମନ୍ତ୍ରୀ । ମୋହନ ମାଝୀ ହେବେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ । ଏନେଇ ବିଜେପି ବିଧାୟକ ଦଳ ବୈଠକରେ ନିଷ୍ବତ୍ତି ହେଇଛି । ତେବେ
ଓଡ଼ିଶାର ପ୍ରଥମ ଥର ବିଜେପି ସରକାରକୁ ଆସିବା ପରେ କିଏ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ସସପେନ୍ସ
ଲାଗି ରହିଥିଲା । ଆଉ ଏବେ ଏହି ସସପେନ୍ସ ଉପରୁ ପରଦା ହଟିଛି । କେନ୍ଦୁଝର ବିଧାୟକ ମୋହନ ମାଝୀ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ
ବୋଲି ଘୋଷଣା କରାଯାଇଛି । ପାଟଣାଗଡ ବିଧାୟକ କେଭି ସିଂହଦେଓ ଏବଂ ନିମାପଡା ବିଧାୟିକା ପ୍ରଭାତୀ
ପରିଡା ହେବେ ଉପ-ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଏହି ନେତାମାନେ ବିଧିବଦ୍ଧ ଭାବେ ପଦ ଓ ଗୋପନୀୟତାର ଶପଥପାଠ
କରିବେ ବୋଲି ଜଣାପଡିଛି ।୫୨ ବର୍ଷ ବୟସ୍କ ମୋହନ ମାଝୀ ଅତି ସାଧାରଣ ପରିବାରରୁ ଆସିଛନ୍ତି ।
କେନ୍ଦୁଝର ଜିଲ୍ଲା ରାଇକଳା ଗାଁରେ ତାଙ୍କର ଜନ୍ମ । ଛାତ୍ର ଜୀବନରୁ ଆରଏସଏସ ନୀତି ଆଦର୍ଶରେ ଅନୁପ୍ରାଣିତ
ମୋହନ ପାଠପଢ଼ା ସାରିଲା ପରେ ସରସ୍ୱତୀ ଶିଶୁମନ୍ଦିରରେ ଶିକ୍ଷକତା କରିଥିଲେ । ପରବର୍ତ୍ତୀ ସମୟରେ
ସେ ସକ୍ରିୟ ରାଜନୀତିରେ ପାଦ ଦେଇ ୧୯୯୭ ମସିହାରେ ସରପଞ୍ଚ ହୋଇଥିଲେ । ୨୦୦୦ ମସିହାରେ ପ୍ରଥମ ଥର
ପାଇଁ କେନ୍ଦୁଝର ଆସନରୁ ସେ ବିଜେପି ଟିକେଟ୍ ରେ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ । ୨୦୦୪ରେ
ମଧ୍ୟ ବିଧାୟକ ହୋଇଥିଲେ । ୨୦୦୫ରୁ ୨୦୦୯ ପର୍ଯ୍ୟନ୍ତ ସେ ମେଣ୍ଟ ସରକାରରେ ଉପମୁଖ୍ୟ ସଚେତକ ଭାବେ
କାର୍ଯ୍ୟ କରିଥିଲେ । ୨୦୧୯ ରେ ତୃତୀୟ ଥର ପାଇଁ ବିଧାୟକ ହୋଇ ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ
ସଚେତକ ଭାବେ କାମ କରିଥିଲେ । ବିଧାନସଭାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ସହ
ଅତ୍ୟନ୍ତ ପ୍ରଭାବୀ ଢ଼ଙ୍ଗରେ ସେ ନିଜର ଦାୟିତ୍ୱ ତୁଲାଇଥିଲେ ।