ମୋଦୀ ସରକାରଙ୍କ ତୃତୀୟ ପାଳିରେ କ୍ୟାବିନେଟ ମନ୍ତ୍ରୀଭାବେ ଶପଥ ନେଇଥିବା ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅଶ୍ବିନୀ ବୈଷ୍ଣବଙ୍କୁ ଓଜନିଆ ବିଭାଗ ମିଳିଛି।ରାଜ୍ୟସଭା ସଦସ୍ୟ ଥିବା ଅଶ୍ବିନୀ ବୈଷ୍ଣବଙ୍କୁ ପୂର୍ବ ଭଳି ରେଳ ଏବଂ ଆଇଟି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରାଳୟ ଦିଆଯାଇଛି। ଏଥିସହିତ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ମଧ୍ୟ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ ଏଥର ଓଡ଼ିଶାରୁ ବିଜେପିର ୨୦ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଏଥିସହିତ ଓଡ଼ିଶାରେ ମଧ୍ୟ ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଏଭଳି ସ୍ଥଳେ ମୋଦୀ ତାଙ୍କ ମନ୍ତ୍ରିମଣ୍ଡଳରେ ୩ ଜଣଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସ୍ଥାନିତ କରିବା ସହିତ ଗୁରୁତ୍ବପୂର୍ଣ୍ଣ ବିଭାଗ ମଧ୍ୟ ଦେଇଛନ୍ତି। ଆରମ୍ଭରୁ ୧୦ ବର୍ଷ ଧରି ମୋଦୀ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ରହି ଆସିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ବିଭାଗ ଦିଆଯାଇଥିବା ବେଳେ ଜୁଏଲ ଓରାମଙ୍କୁ ପୁଣି ଆଦିବାସୀ ବ୍ୟାପାର ବିଭାଗ ଦିଆଯାଇଛି।