ନୂଆଦିଲ୍ଲୀ: ଭାରତରେ ୨୦୨୪ ସାଧାରଣ ନିର୍ବାଚନରେ ମତଦାନ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବେ ଦେଖିଥିବାରୁ ବିଭିନ୍ନ ଦେଶରୁ ଆସିଥିବା ଅନ୍ତର୍ଜାତୀୟ ପ୍ରତିନିଧିମାନେ ଖୁସି ବ୍ୟକ୍ତ କରିଛନ୍ତି। କେତେକ ପ୍ରତିନିଧି ନିର୍ବାଚନରେ ସ୍ୱଚ୍ଛତାକୁ ପ୍ରଶଂସା କରିଥିବା ବେଳେ ଅନ୍ୟମାନେ ଗ୍ରୀନ୍ ପୋଲିଂ ଷ୍ଟେସନ ଭଳି ନିର୍ବାଚନ ଆୟୋଗଙ୍କ ପଦକ୍ଷେପକୁ ପ୍ରେରଣାଦାୟକ ବୋଲି କହିଛନ୍ତି। ଇଭିଏମ-ଭିଭିପାଟ୍ ର ରେଣ୍ଡମାଇଜେସନ୍ ସମେତ ନିର୍ବାଚନରେ ଜ୍ଞାନକୌଶଳର ବ୍ୟାପକ ବ୍ୟବହାରକୁ ପ୍ରତିନିଧିମାନେ ପ୍ରଶଂସା କରିଥିଲେ। ଗଣତାନ୍ତ୍ରିକ ଆଦର୍ଶକୁ ସୁଦୃଢ଼ କରିବା ଦିଗରେ ଭାରତୀୟ ମତଦାତାଙ୍କ ଅତୁଟ ବିଶ୍ୱାସ ଓ ପ୍ରତିବଦ୍ଧତାକୁ ନେଇ ସେମାନେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ବୋଲି କେତେକ ପ୍ରତିନିଧି କହିଛନ୍ତି। ମୋଟାମୋଟି ଭାବରେ,ଭାରତରେ ନିର୍ବାଚନ ପ୍ରକ୍ରିୟା ଏକ ଶାନ୍ତିପୂର୍ଣ୍ଣ, ସମାବେଶୀ,ସୁଲଭ ଏବଂ ଏକ ଉତ୍ସବମୁଖର ମନୋଭାବ ସହିତ ଅନୁଷ୍ଠିତ ହୁଏ ବୋଲି ଭାରତ ଗସ୍ତରେ ଆସିଥିବା ଏହି ଦେଶଗୁଡ଼ିକର ନିର୍ବାଚନ ପରିଚାଳନା ସମିତି ସଦସ୍ୟମାନେ ଏକମତ ହୋଇଥିଲେ । ଅନ୍ତର୍ଜାତୀୟ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ (ଆଇଇଭିପି) ଅଧୀନରେ ନିକଟରେ ଶେଷ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭାରତର ସାଧାରଣ ନିର୍ବାଚନର ପ୍ରତ୍ୟକ୍ଷ ଅନୁଭବ କରିବା ପରେ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି। ତୃତୀୟ ପର୍ଯ୍ୟାୟରେ ୧୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହୋଇଥିଲା ଏବଂ ପ୍ରତିନିଧିମାନେ ୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଦେଖିଥିଲେ, ଯେଉଁଥିରେ ବିଶ୍ୱସ୍ତରର ସବୁଠୁ ଅଧିକ ମଣିଷ ଓ ବ୍ୟବସ୍ଥାଗତ ଗତିବିଧି ଦେଖିବାକୁ ମିଳିଥିଲା।