ଭୁବନେଶ୍ବର: ପୁଣି ବିଜେପି ଉପରେ ବର୍ଷିଛି ବିଜେଡି । କହିଛି ବିଜେପି ନେତାମାନେ ମିଛ ଇସ୍ତାହାର କରିଛନ୍ତି । ଯାହା ବିଜେପି କୁହେ କିିଛି କରେନାହିଁ । ବିଜେପିର ସଙ୍କଳ୍ପପତ୍ରକୁ ‘ମିଛ ମାନିଫେଷ୍ଟୋ’ ବୋଲି କହିବା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ସ୍ୱଂୟପ୍ରକାଶ ମହାପାତ୍ର ଏବଂ ସାଂସଦ ସସ୍ମିତ ପାତ୍ର । ବିଜେପି ପୂର୍ବରୁ ଭୂଆଁ ବୁଲେଇ ଆସିଛି, ଆଜି ବି ଭୂଆଁ ବୁଲାଉଛି । ସଙ୍କଳ୍ପ ପତ୍ରରେ ବିଜେପି ଯାହା ଯାହା ସବୁ ପ୍ରତିଶ୍ରୁତି ଦେଇଛି, ସେ ସବୁ ମିଛ ପ୍ରତିଶ୍ରୁତି ବୋଲି କହିଛି ବିଜେଡି । ବିଜେପି ଚାଷୀଙ୍କ ଆୟ ଦ୍ୱିଗୁଣ କରିବାକୁ କହିଥିଲେ, ହେଲେ କଲେନି । ଏବେ କିନ୍ତୁ ଏମଏସପିକୁ ୩୧୦୦ ଟଙ୍କା କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ସେହିପରି ୨୦୧୪ରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବାକୁ କହିଥିଲେ, ହେଲେ ତା ମଧ୍ୟ କଲେନି । ଅନ୍ୟପଟେ ରାଜ୍ୟ ବିଜେପି ତାଙ୍କ ମାନିଫେଷ୍ଟୋରେ ଗରିବଙ୍କୁ ଘର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି, ହେଲେ ସେଇମାନେ ହିଁ ୧୪ ଲକ୍ଷ ଆବାସ ଘର ବନ୍ଦ କରିଦେଲେ ବୋଲି କହିବା ସହିତ ବିଜେପିକୁ ତୀର ମାରିଛନ୍ତି ବିଜେଡି ନେତା । ବିଜେପି ୨୦୧୪ରେ ବର୍ଷକୁ ୨ କୋଟି ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ୧୦ ବର୍ଷରେ ସେହି ହିସାବରେ ୨୦ କୋଟି ଚାକିରି ଦେବା କଥା । ଯାହା ଭିତରୁ ଓଡିଶାର ଭାଗ ହେଉଛି ୮୦ ଲକ୍ଷ । ହେଲେ ୮୦ ଲକ୍ଷ ତ ନୁହେଁ ବରଂ ୮୦ ହଜାର ଚାକିରି ମଧ୍ୟ ସେ ଦେଇନାହାଁନ୍ତି ।