ସମ୍ବଲପୁର: ସମ୍ବଲପୁରରେ ଜୋରଦାର ଲଢ଼େଇ ଚାଲିଛି । ବିଜେପି ଏବଂ ବିଜେଡି ମଧ୍ୟରେ ଟକ୍କରକୁ ନେଇ ରାଜନୀତି ସରଗରମ ହୋଇଛି ପରିବେଶ । ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ଜୋରଦାର କରି ବିଜେଡି ଉପରେ ବର୍ଷିଛନ୍ତି । ବିଜେପି ଯଦି ରାଜ୍ୟରେ ସରକାର ଗଠନ କରେ ତେବେ ଓଡ଼ିଶାବାସୀଙ୍କ ପାଇଁ ଅନେକ ଜନମଙ୍ଗଳ କାମ ହେବ ବୋଲି ସେ କହିଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ତର୍କ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ଏହି କ୍ରମରେ ସେ ବିଜେପିର ସଙ୍କଳ୍ପ ପତ୍ରକୁ ଦୋହରାଇବା ସହ ଏଥିରେ ଥିବା ୨୧ ଟି ପ୍ରତିଶ୍ରୁତିକୁ ପୂରଣ କରିବାକୁ କହିଛନ୍ତି । ଏହାସହ ବିଜେଡି ସରକାରଙ୍କ ଦୋଷ ଦୁର୍ବଳାତାକୁ ମଧ୍ୟ ବଖାଣିଛନ୍ତି ଧମେନ୍ଦ୍ର ପ୍ରଧାନ ।ସଙ୍କଳ୍ପ ପତ୍ରକୁ ଦୋହରାଇ ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟରେ ବିଜେପି ସରକାର ଗଢିଲେ ରାଜ୍ୟର ମା’, ଭଉଣୀଙ୍କୁ ୫୦ ହଜାର ଟଙ୍କାର ଉପହାର ମିଳିବ । ଏହି ରାଶିକୁ ଜଣେ କିସ୍ତିରେ ହେଉ ବା ଏକକାଳୀନ ବ୍ୟାଙ୍କରୁ ନେଇପାରିବେ । ଏହାକୁ ଆଉ ଫେରାଇବାକୁ ପଡିବନାହିଁ । ଏହାବ୍ୟତୀତ ରାଜ୍ୟର ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ ମୋଦୀ ସରକାର ବିଶେଷ ଯୋଜନା କରିବାକୁ ଯାଉଛନ୍ତି । ବର୍ଷକର ଯେଉଁ ମାସରେ ଧୀବର ଭାଇମାନେ ସମୁଦ୍ରକୁ ମାଛ ଧରିବାକୁ ଯାଇପାରନ୍ତି ନାହିଁ ସେହି ସମୟ ପାଇଁ ସେମାନଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ଦିଆଯିବ । ସଙ୍କଳ୍ପ ପତ୍ରରେ ଥିବା ସବୁଠାରୁ ବଡ କଥା ହେଉଛି ଯୁବ ଗୋଷ୍ଠୀଙ୍କ ପାଇଁ । କାରଣ ରାଜ୍ୟରେ ବିଜେପି ସରକାର ଗଢିଲେ ସ୍ୱତନ୍ତ୍ର ଭାବେ ଯୁବଗୋଷ୍ଠୀ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଦେଢ ଲକ୍ଷ ସରକାରୀ ନିଯୁକ୍ତିି ସହ ମୋଟ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା କଥା ସେ କହିଛନ୍ତି ।