ଓଡ଼ଶା ବିଜେପିକୁ ମୁଁ ଧନ୍ୟବାଦ ଦେଉଛି ଯେ ସେମାନେ ଉତ୍ତମ ଘୋଷଣାପତ୍ର ଜାରି କରିଛନ୍ତି। ଏଥିରେ କୃଷକଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଲାଭ ମିଳିବ। ବିଜେପି ଯାହା କହେ, ତାହା କରିକି ଦେଖାଏ। ଏହା ହେଉଛି ମୋଦୀ ଗ୍ୟାରେଣ୍ଟି। ଜୁନ୍ ୪ ତାରିଖରେ ଏଠାରେ ବିଜେଡି ସରକାରର ଏକସ୍ପାରି ଡେଟ୍ ଲେଖାଯାଇଛି। ଜୁନ୍ ୧୦ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ହେବ। ମୁଁ ବିଜେପିର ଶପଥ ସମାରୋହ ଲାଗି ନିମନ୍ତ୍ରଣ ଦେବାକୁ ଆସିଛି। ଓଡ଼ିଶାରେ ବିଜେଡି ସରକାର ଅସ୍ତଗାମୀ। କଂଗ୍ରେସ ଅତୀତ ହୋଇଛି। ଓଡ଼ିଶାରେ କେବଳ ବିଜେପି ଉଦିତ ସୂର୍ଯ୍ୟ ଭାବେ ଉଭା ହୋଇଛି। ଓଡ଼ିଶା ପାଖରେ ପ୍ରଚୁର ପାଣି, ଉର୍ବର ଜମି, ଜମି ତଳେ ଖଣିଜ ଭଣ୍ଡାର ଅଛି। ଏତେ ଧନୀ ଓଡ଼ିଶାର ଲୋକ କାହିଁକି ଗରିବ ରହିଛନ୍ତି। ବ୍ରହ୍ମପୁର ନିକଟସ୍ଥ କନିସି ଛକରେ ବିଶାଳ ଜନସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକଥା କହିଛନ୍ତି।ଜୟ ଜଗନ୍ନାଥ ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଭାରତମାତାକି ଜୟ। ସବୁ ଦାଦା, ଭାଇ, ଭଉଣୀ ଓ ମାଆମାନଙ୍କୁ ମୋର ନମସ୍କାର ବୋଲି କହି ପ୍ରଧାନମନ୍ତ୍ରୀ ଭାଷଣ ଆରମ୍ଭ କରିଥିଲେ। କାଲି ମୁଁ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କଲି। ଆଜି ମୁଁ ଜଗନ୍ନାଥଙ୍କ ଭୂମିରେ ଆପଣଙ୍କ ଆଶୀର୍ବାଦ ପାଇଁ ଆସିଛି। ଆପଣମାନଙ୍କର ଗୋଟିଏ ଭୋଟ୍ ରାମଲାଲାଙ୍କ ମନ୍ଦିର ନିର୍ମାଣ କରିଛି।