ମଙ୍ଗଳବାର ବିଶ୍ୱର ପ୍ରଥମ ୧୦ଟି ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩ଟି ସହର ରହିଛି। ବାରିପଦା ଦ୍ୱିତୀୟ, ବାଲେଶ୍ୱର ତୃତୀୟ ଏବଂ ଭୁବନେଶ୍ୱର ଦଶମ ସ୍ଥାନରେ ରହିଥିଲା। ପ୍ରଥମ ସ୍ଥାନରେ ଓମାନ୍ର ଜୋବା ସହର ରହିଥିଲାବେଳେ ଏଠାରେ ତାପମାତ୍ରା ୪୯.୨ ଡିଗ୍ରୀ ସେଲ୍ସିୟସ ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି।ମଙ୍ଗଳବାର ରାଜ୍ୟର ୧୫ଟି ସହରରେ ତାପମାତ୍ରା ୪୪ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। କେବଳ ସେତିକି ନୁହେଁ, ରାଜ୍ୟର ୨୯ଟି ସହରରେ ତାପମାତ୍ରା ୪୨ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆହୁରି ୨ ଦିନ ଆକାଶରୁ ଅଗ୍ନିବର୍ଷା ହେବ। ରାଜ୍ୟରେ ଗ୍ରୀଷ୍ମପ୍ରବାହ ସହ ଗୁଳୁଗୁଳି ଜାରି ରହିବ। ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟର ଅନେକ ଜିଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେପଟେ ଆଗାମୀ ୨୪ ଘଣ୍ଟା ପାଇଁ ସିଭିୟର ହିଟ୍ ୱେଭ ଜାରି କରିଛି ପାଣିପାଗ ବିଭାଗ। ଏନେଇ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ବୁଧବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଓ ବୌଦ୍ଧ ଆଦି ୧୧ ଜିଲାକୁ ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ରେଡ୍ ଓ୍ବାର୍ନିଂ ଜାରି କରାଯାଇଛି। ସେହିଭଳି ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର, ନୂଆପଡ଼ା, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଓ ମାଲକାନଗିରିକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଥିବା ବେଳେ କନ୍ଧମାଳ, ନବରଙ୍ଗପୁର, ଗଜପତି ଓ ରାୟଗଡ଼ା ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିଭଳି ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ବୌଦ୍ଧ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିବା ବେଳେ କିଛି ଜିଲା ଅରେଞ୍ଜ ଏବଂ ଆଉ କିଛି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ଆସନ୍ତା ୪ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ୩ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ସହ ସାମାନ୍ୟ ତାପମାତ୍ରାରେ ହ୍ରାସ ହେବାର ସମ୍ଭାବନା ରହିଛି।