ଓଡ଼ିଶା 365 (ବ୍ୟୁରୋ): ବଲାଙ୍ଗୀର ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ। ଫସଲହାନି ସହି ନପାରି ଜଣେ ଚାଷୀ ଜୀବନ ହାରିଥିବା ଜଣାପଡିଛି। ଏଭଳି ଅଭିଯୋଗ ଆସିଛି ପୁଇଁନ୍ତଳା ଥାନା ବୁବେଳ ଗାଁରୁ। ଏହା ହେଉଛି ଚଳିତ ବର୍ଷର ପ୍ରଥମ ଚାଷୀ ଆତ୍ମହତ୍ୟା। ରିପୋର୍ଟ ପ୍ରସ୍ତୁତ ହେବା ଯାଏ ରାଜ୍ୟ ସରକାରଙ୍କ କୃଷି ବିଭାଗର କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ବେଳେ କୃଷି ସାଥୀ ବି ପହଞ୍ଚିନାହାନ୍ତି। ସୂଚନା ଅନୁଯାୟୀ, ଧାନରେ ପୋକ ଲାଗି ଫସଲ ନଷ୍ଟ ହେବା ଯୋଗୁଁ ଗତକାଲି ବିଲରେ ବିଷ ପିଇଦେଇଥିଲେ ରମେଶ ଭୋଇ। ଗୁରୁତର ଅବସ୍ଥାରେ ତାଙ୍କୁ ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରମେଶ ଭୋଇ ୧୦ ଏକର ଜମିରେ ଧାନ ଚାଷ କରିଥିଲେ। ହାତ ଉଧାରି ଓ କରଜ ଆଣି ଚାଷ କରିଥିବା ବେଳେ ଫସଲ ନଷ୍ଟ ହୋଇଯାଇଛି। ଋଣ ପରିଶୋଧ କରିବା ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ଲୋକମାନେ କହୁଛନ୍ତି ।