ଓଡ଼ିଶା 365 (ବ୍ୟୁରୋ): ବଜ୍ରକବାଟୀରୋଡ୍ସ୍ଥିତ ସାର୍ପ ହସ୍ପିଟାଲର ଅନ୍ୟତମ ପ୍ରୋପ୍ରାଇଟର୍ ସନ୍ତୋଷ ମହାନ୍ତିଙ୍କୁ ଧମକ। ଭୁବନେଶ୍ବର ମୈତ୍ରୀ ବିହାର ଥାନା ପୁଲିସ ପରିଚୟରେ କେତେକ ବ୍ୟକ୍ତି ବନ୍ଧୁକ ଦେଖାଇ ଧମକ ଦେଇଥିବା ଅଭିଯୋଗ। ହସ୍ପିଟାଲରେ ପଶି ଏହି ବ୍ୟକ୍ତିମାନେ ସନ୍ତୋଷଙ୍କୁ ଧମକ ଦେବା ସହ ଟଙ୍କା, ମୋବାଇଲ ଛଡ଼ାଇ ନେଇଥିବା ବେଳେ ବର୍ତ୍ତମାନ ସନ୍ତୋଷଙ୍କ ପତ୍ତା ମିଳୁନି। ସନ୍ତୋଷଙ୍କ ପତ୍ନୀ ଏ ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ମେଫେୟାର ହୋଟେଲର ମାଲିକ ତଥା ରାଜନେତା ଦିଲ୍ଲୀପ ରାୟ ଓ ପ୍ରଶାନ୍ତ ପଣ୍ଡାଙ୍କ ସମେତ ଅନ୍ୟ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ବାଦାମବାଡ଼ି ଥାନା ଅରୁଣୋଦୟ ନଗର ଅଞ୍ଚଳର ଆଇନଜୀବୀ ଶର୍ମିଷ୍ଠା ପ୍ରିୟଦର୍ଶିନୀ ମଙ୍ଗଳାବାଗ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଗତ ୧୧ ତାରିଖ ରାତି ପ୍ରାୟ ୧୧ଟା ୩୦ରେ ତାଙ୍କ ସ୍ବାମୀ ସନ୍ତୋଷ ମହାନ୍ତି ବଜ୍ରକବାଟୀ ରୋଡ୍ରେ ସାର୍ପ ହସ୍ପିଟାଲରେ ଥିଲେ। ଏହି ସମୟରେ ୮ରୁ ୧୦ ଜଣ ଅଜଣା ବ୍ୟକ୍ତି ହସ୍ପିଟାଲରେ ପହଞ୍ଚି ତାଙ୍କୁ ଗାଳି କରିବା ସହ ଧମକ ଦେଇଥିଲେ। ଏପରିକି ସେମାନଙ୍କୁ ଦିଲ୍ଲୀପ ରାୟ ଏବଂ ପ୍ରଶାନ୍ତ ପଣ୍ଡା ପଠାଇଛନ୍ତି ବୋଲି କହିଥିଲେ। ଏହି ବ୍ୟକ୍ତିମାନେ ନିଜକୁ ମୈତ୍ରୀ ବିହାର ପୁଲିସ ବୋଲି ପରିଚୟ ଦେଇଥିଲେ। ସୌମ୍ୟ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଆସିଥିବା କହିଥିଲେ। କିନ୍ତୁ ସେହି ବ୍ୟକ୍ତିଙ୍କୁ ସନ୍ତୋଷ ଜାଣନ୍ତି ନାହିଁ ବୋଲି କହିଥିଲେ। ସନ୍ତୋଷ ପୁଲିସ ପରିଚୟ ଦେଉଥିବା ଏହି ବ୍ୟକ୍ତିଙ୍କୁ ସର୍ଚ୍ଚ ଓ୍ୱାରେଣ୍ଟ ସହିତ ପୁଲିସ ପରିଚୟ ମାଗିବାରୁ ସେମାନେ ସନ୍ତୋଷଙ୍କ ମୋବାଇଲ ଫୋନ୍, ୧ ଲକ୍ଷ ଟଙ୍କା, ସୁନା ଚେନ୍ ଛଡ଼ାଇ ନେଇଥିଲେ।
ଘଟଣା ପରେ ସନ୍ତୋଷଙ୍କୁ ଯୋଗାଯୋଗ କରାଯାଉଥିଲେ ମଧ୍ୟ ତାଙ୍କସହ ଯୋଗାଯୋଗ ହୋଇପାରୁନଥୁବାରୁ ତାଙ୍କ ପତ୍ନୀ ସନ୍ତୋଷଙ୍କ ସୁରକ୍ଷା ନେଇ ଚିନ୍ତାରେ ଅଛନ୍ତି। ଉଭୟ ଦିଲ୍ଲୀପ ଏବଂ ପ୍ରଶାନ୍ତ ନିର୍ବାଚନ ଲଢ଼ିବା ପାଇଁ ସନ୍ତୋଷଙ୍କ ନିକଟରୁ ବିପୁଳ ପରିମାଣରେ ଟଙ୍କା ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଟଙ୍କା ଫେରସ୍ତ କରୁନଥିଲେ। ବାରମ୍ବାର ମାଗିଥିଲେ ମଧ୍ୟ ଏହାକୁ ଏଡ଼ାଇ ଦେଉଥିଲେ। ଶର୍ମିଷ୍ଠା ଏ ସଂକ୍ରାନ୍ତରେ ଗତ ୧୨ ତାରିଖରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦଫା ୪୪୮, ୪୨୭, ୩୭୯, ୩୬୫, ୨୯୪, ୫୦୬, ୩୪ରେ ଏକ ମାମଲା (କେସ୍ ନଂ ୩୨୩) ରୁଜୁ କରିଛି।