ଓଡ଼ିଶା 365 (ବ୍ୟୁରୋ): ପାରାଦୀପ-ଚଣ୍ଡିଖୋଲ ରାସ୍ତାର ଯଦୁପୁର ନିକଟରେ ଦୁଇ ଭାଇଙ୍କ ଉପରକୁ ମାଡ଼ିଗଲା ଲୁହାବୋଝେଇ ଟ୍ରକ୍। ଘଟଣାସ୍ଥଳରେ ସାନଭାଇର ମୃତ୍ୟୁ ହୋଇଥିବା ବେଳେ ବଡ଼ଭାଇ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି। ଆଜି ସକାଳ ପ୍ରାୟ ୭ଟାରେ କରଞ୍ଜ ଗ୍ରାମର ଦୁଇ ଭାଇ ବାଇକରେ ପାରାଦୀପ ଯାଉଥିବା ବେଳେ ୫୩ନମ୍ବର ଜାତୀୟ ରାଜପଥ ଯଦୁପୁର ଗଡ଼ା ନିକଟରେ ଏକ ଲୁହାବୋଝେଇ ଟ୍ରକ୍ ସେମାନଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ଚଳାଉଥିବା ବଡ଼ଭାଇ ସଞ୍ଜୟ ବାରିକ ରାସ୍ତା କଡ଼କୁ ଛିଟିକି ପଡ଼ିଥିବା ବେଳେ ସାନଭାଇ ଚିନ୍ମୟ ବାରିକଙ୍କ ଉପରେ ଟ୍ରକଟି ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ଚିନ୍ମୟଙ୍କର ମୃତ୍ୟୁ ହୋଇଛି। ରାସ୍ତା କଡ଼କୁ ଛିଟିକି ପଡ଼ିଥିବା ସଞ୍ଜୟ ଗୁରୁତର ଆହତ ହୋଇଛନ୍ତି।