ଓଡ଼ିଶା 365 (ବ୍ୟୁରୋ) : ଆଜି ନଭେମ୍ବର ୧୪ ଅର୍ଥାତ ଶିଶୁ ଦିବସ । ଶୁଶୁଙ୍କୁ ଭଲପାଉଥିବା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ । ତାଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁ ଦିବସ ଭାବେ ପାଳନ କରାଯାଉଛି । ନେହରୁଙ୍କ ଜନ୍ମ ୧୮୮୯ ମସିହା ଆଲ୍ଲାବାଦରେ ଆଜିର ଦିନରେ ହୋଇଥିଲା । ସେ ଦେଶର ଭବିଷ୍ୟତକୁ ଶିଶୁମାନଙ୍କ ଆଖିରେ ଦେଖୁଥିଲେ। ନେହେରୁଙ୍କୁ ସମସ୍ତେ ଶ୍ରଦ୍ଧାରେ ଚାଚା ନେହେରୁ ଓ ଚାଚାଜୀ ବୋଲି ସମ୍ବୋଧନ କରୁଥିଲେ । ନେହେରୁ ଜଣେ ଏଭଳି ମଣିଷ ଥିଲେ ତାଙ୍କୁ ସମସ୍ତେ ଭଲପାଉଥିଲେ ଆଉ ସେ ପିଲାମାନଙ୍କୁ ବହୁତ ସ୍ନେହ, ଆଦର କରୁଥିଲେ । ତେଣୁ ନେହେରୁଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି ।
ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାର ଦେଶ ପାଳୁଛି ଏହି ମହାନ ଦିବସ । ଆଜିର ଶିଶୁ ଆସନ୍ତାକାଲିର ନାଗରିକ । ଦେଶ ନିର୍ମାଣରେ ଶିଶୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି । ଏହି କଥାକୁ ହୃଦୟଙ୍ଗମ କରିଥିଲେ ନେହେରୁ । ଦେଶର ଗୌରବ , ଦେଶ ନିର୍ମାଣରେ ଶିଶୁଙ୍କ ଭୂମିକା ଓ ଅଙ୍ଗୀକାରବଦ୍ଧତାକୁ ବୁଝିଥିଲେ ଚାଚା ନେହୁର । ତେବେ ୧୯୬୪ ମସିହା ମେ ୨୭ ତାରିଖରେ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ମୃତ୍ୟୁ ପରେ ପିଲାମାନଙ୍କ ପ୍ରତି ତାଙ୍କ ଭଲପାଇବାକୁ ପ୍ରତି ବର୍ଷ ୧୪ ନଭେମ୍ବରରେ ଚାଚା ନେହେରୁଙ୍କ ଜନ୍ମଦିବସରେ ଶିଶୁ ଦିବସର ଆୟୋଜନ କରାଯିବା ନେଇ ସର୍ବସମ୍ମତି ଦ୍ୱାରା ଏହା ନିଷ୍ପତ୍ତି ହୋଇଥିଲା ।