ଓଡ଼ିଶା 365 (ବ୍ୟୁରୋ): ଗତକାଲି ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣଧୀନ ଟନେଲ୍ ଭୁଷୁଡ଼ିବା ଘଟଣାରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ଦୀର୍ଘ ୪୮ ଘଣ୍ଟା ଧରି ଏହି ଉଦ୍ଧାରକାର୍ଯ୍ୟ ଚାଲିଛି । ଅନୁମାନ କରାଯାଉଛି ଆହୁରି ୪୦ରୁ ଅଧିକ ଶ୍ରମିକ ଏଥିରେ ଫସି ରହିଛନ୍ତି । ଶ୍ରମିକଙ୍କୁ ବାହାର କରିବା ପାଇଁ ଏକ ସୁରକ୍ଷିତ ମାର୍ଗ ପ୍ରସ୍ତୁତ କରାଯାଉଛି । ରବିବାର ମାଟି ଅତଡା ଭୁଷୁଡି ପଡିବାରୁ ନିର୍ମାଣଧିନ ଟନେଲରେ ଫସି ଯାଇଥିଲେ ଶ୍ରମିକମାନେ ।
ତେବେ ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ସୂଚନା ଦେଇଥିଲେ ଉତରାଖଣ୍ଡ ସରକାର । ଆଉ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଜାରି ରହିଛି ପ୍ରୟାସ । ଟନେଲରୁ ମାଟି ଓ ପଥର ହଟାଇବାକୁ ବଡ ବଡ ବୁଲଡୋଜର ଲଗାଯାଇଛି । ଟନେଲର ପ୍ରାୟ ୬୦ ମିଟର ଅଂଶ ଭାଙ୍ଗି ପଡିବା ଯୋଗୁଁ ଭିତରେ କାମ କରୁଥିବା ୪୦ରୁ ଅଧିକ ଶ୍ରମିକ ଫସି ରହିଛନ୍ତି । ଫସିରହିଥିବା ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ୫ ଓଡିଆ । ଓଡିଶା ସମେତ ଉତରପ୍ରଦେଶ, ହିମାଚଳ, ବିହାର, ପଶ୍ଚିମବଙ୍ଗ, ଆସାମ, ଝାଡଖଣ୍ଡର ଶ୍ରମିକ ଅଛନ୍ତି ।
ସେମାନଙ୍କୁ ଗତକାଲି ଠାରୁ ପାଇପ୍ ଯୋଗେ ଅକ୍ସିଜେନ ଓ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଉଛି । ଏଥିସହ ୱାକି ଟକି ସାହାଯ୍ୟରେ ବି ଶ୍ରମିକଙ୍କ ସହ ଆଲୋଚନା କରାଯାଉଛି । ସେପଟେ ଟନେଲ ଦୁର୍ଘଟଣାକୁ ନେଇ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶୀଘ୍ର ଉଦ୍ଧାର କାର୍ୟ୍ୟ ଶେଷ କରିବାକୁ ଉତରାଖଣ୍ଡ ସରକାର ଲକ୍ଷ୍ୟ ରଖିଛନ୍ତି ।