ଓଡ଼ିଶା 365 (ବ୍ୟୁରୋ) : ଆଲୋକର ପର୍ବ ଦୀପାବଳିରେ ସମସ୍ତେ ଉତ୍ସାହର ସହିତ ବାଣ ଫୁଟାଇଥାନ୍ତି । ହେଲେ ଏହି ବାଣଫୁଟା ଯେତିକି ଆନନ୍ଦ ଦେଇଥାଏ ସେତିକି ସମସ୍ୟା ମଧ୍ୟ ସୃଷ୍ଟି କରେ । ହଁ ଆଜ୍ଞା ଟିକିଏ ଅସାବଧାନତା ଧୂଳିସାତ କରିଦିଏ ଲକ୍ଷାଧିକ ଧନଜୀବନ । ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ବାରିପଦା ଜିଲ୍ଲାର ସ୍ୱର୍ଣ୍ଣଲକ୍ଷ୍ମୀ ଟେଣ୍ଟ ହାଉସରେ । ହୁତୁହୁତୁ ହୋଇ ଜଳିଗଲା ଟେଣ୍ଟ ହାଉସ । ନିଆଁରେ ପୋଡ଼ି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ତେବେ ବାଣ ପଡି ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା । ଏଥିରେ କେହି ଆହତ ହୋଇ ନ ଥିବା ସୂଚନା ମିଳିଛି । ସୂଚନା ମୁତାବକ, ଜିଲ୍ଲାର ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୦ ଜୁବଲି ଲାଇବ୍ରେରି ନିକଟରେ ଥିବା ସ୍ୱର୍ଣ୍ଣଲକ୍ଷ୍ମୀ ଟେଣ୍ଟ ହାଉସରେ ଗତକାଲି ରାତିରେ ନିଆଁ ଲାଗି ଯାଇଥିଲା । ତେବେ ବାରିପଦାବାସୀ ଦୀପାବଳି ପାଳନ କରୁଥିବା ସମୟରେ ଗୋଟିଏ ଆକାଶ ଦୀପ ଖସି ଆସି ଟେଣ୍ଟ ହାଉସରେ ଥିବା ବିଭିନ୍ନ ସିନ୍ଥେଟିକ୍ ଟେଣ୍ଟ କପଡା ଉପରେ ପଡି ଯାଇଥିଲା ।
ଫଳରେ ସେଥିରେ ନିଆଁ ଲାଗିବାପରେ ଅନ୍ୟ କପଡ଼ାକୁ ନିଆଁ ବ୍ୟାପି ଯାଇ ଭୟଙ୍କର ଅଗ୍ନିକାଣ୍ଡର ରୂପ ନେଇଥିଲା । ଧୀରେ ଧୀରେ ଟେଣ୍ଟ ହାଉସ ଭିତରେ ଥିବା ସମସ୍ତ ସ୍ଥାନରେ ନିଆଁ ଲାଗି ଯାଇଥିଲା । ଟେଣ୍ଟ ହାଉସ ମାଲିକ ଜଣକ ବାରିପଦା ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ବିଭାଗର ୩ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଥିଲେ । ତେବେ ବହୁ ପରିଶ୍ରମ ପରେ ଶେଷରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବିଭାଗ କର୍ମଚାରୀ । ହେଲେ ସେତେବେଳକୁ ସବୁ କିଛି ଜଳି ପୋଡ଼ି ପାଉଁଶ ହୋଇ ଯାଇଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଟେଣ୍ଟ ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇ ଯାଇଛି । ସେପଟେ ଏହି ଭୀଷଣ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟେଣ୍ଟ ହାଉସର କର୍ମଚାରୀ । ତେଣୁ ଟିକିଏ ଅସାବଧାନତା ଯେ କେତେ ବଡ଼ ଦୁର୍ଘଟଣା ଘଟାଇପାରେ ଏହା ଜ୍ୱଳନ୍ତା ଉଦାହରଣ ।