ଓଡ଼ିଶା 365 (ବ୍ୟୁରୋ): ଭୁଷୁଡ଼ିଲା ନିର୍ମାଣାଧୀନ ଟନେଲ୍ । ଏଥିରେ ଫସିଛନ୍ତି ୪୦ରୁ ଅଧିକ ଶ୍ରମିକ । ୪୦ ଶ୍ରମିକଙ୍କୁ ସୁରକ୍ଷିତ ବାହାର କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର ଅଭିଯାନ। ଫସି ରହିଛନ୍ତି ୮ ରାଜ୍ୟର ୪୦ ଶ୍ରମିକ। ସେମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଅଛନ୍ତି। ଶ୍ରମିକ ମାନଙ୍କ ତାଲିକା ଜାରି କରିଛି ଜିଲ୍ଲା ପ୍ରଶାସନ। ଓଡ଼ିଶାର ଶଙ୍କର୍ଷଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭାତ୍ରା , ମୟୁରଭଞ୍ଜର ବିଶେଶ୍ୱର ନାୟକ, କୁଲଡିହାର ରାଜୁ ନାୟକ, ବଡ଼କୁଦାର ଧିରେନ ଫଶି ରହିଛନ୍ତି ।
ଉତ୍ତରାଖଣ୍ଡ ଉତ୍ତରକାଶୀ ସିଲ୍କୟାରା ଠାରେ ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ିବା ପରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଅହରହ ଉଦ୍ୟମ ଚାଲିଛି । ଉଦ୍ଧାର କାର୍ୟ୍ୟରେ ଲାଗିଛନ୍ତି ଏନଡିଆରଏଫର ୧୫୦ କର୍ମଚାରୀ । ଏସଡିଆରଏଫ ସହ ଆଇଟିବିପି, ଅଗ୍ନିଶମ ବାହିନୀ, ପୋଲିସ ଟିମ୍ ବି ଲାଗିଛନ୍ତି । ଟନେଲ ଭିତରକୁ ବାୟୁ ଚଳାଚଳ ପରିମାଣ କମ ଥିବାରୁ ଶ୍ରମିକମାନଙ୍କ ନିକଟକୁ ପାଇପରେ ଅକ୍ସିଜେନ ଓ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଉଛି । ସେମାନେ ସୁରକ୍ଷିତ ଥିବା ସୂଚନା ମିଳିଛି । ଭୁଶୁଡ଼ି ପଡ଼ିଥିବା ଅଂଶକୁ ହଟାଇବାକୁ କାମ ଚାଲିଛି । ଜେସିବି ମେସିନ୍ ଓ କଟର ଯୋଗେ ଭାଙ୍ଗିଥିବା ଅଂଶକୁ ସଫା କରାଯାଉଛି । ଫସିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଦିନରାତିରେ କାମରେ ଲାଗିଛନ୍ତି ଉଦ୍ଧାରକାରୀ ଟିମ୍ । ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀମାନେ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି ।