ଓଡ଼ିଶା 365 (ବ୍ୟୁରୋ): ଓଡ଼ିଶା ପାଇଲା ପ୍ରଥମ ମହିଳା ପୁଲିସ ଡିଜି। ୧୯୮୯ ବ୍ୟାଚ୍ ଆଇପିଏସ୍ ବି.ରାଧିକା ରାଜ୍ୟ ପୁଲିସର ପରବର୍ତ୍ତୀ ମୁଖିଆ । କେନ୍ଦ୍ର ସରକାର ବି.ରାଧିକାଙ୍କ ଡେପୁଟେସନ ଅବଧିକୁ ସମାପ୍ତ କରି ତାଙ୍କୁ ଓଡ଼ିଶା କ୍ୟାଡ଼ରକୁ ଫେରାଇ ଦେବାପରେ ପୋଲିସ ଡିଜି ପଦ ପାଇଁ ତାଙ୍କୁ ନେଇ କଳ୍ପନା ଜଳ୍ପନା ଦେଖାଦେଇଥିଲା। ତେବେ ବର୍ତ୍ତମାନର ଡିଜିପି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଚଳିତବର୍ଷ ଡିସେମ୍ବର ୩୧ରେ ଶେଷ ହେଉଥିବା ବେଳେ ପରବର୍ତ୍ତୀ ପୋଲିସ ଡିଜି ବି.ରାଧିକା ହେବା ନେଇ ସ୍ପଷ୍ଟ ହୋଇଛି।
ସୂଚନା ଅନୁସାରେ, ରାଧିକାଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧିକୁ ସମାପ୍ତ କରି କେନ୍ଦ୍ର ସରକାର ନଭେମ୍ବର ୮ତାରିଖରେ ତାଙ୍କୁ ରାଜ୍ୟ କ୍ୟାଡ଼ରକୁ ଫେରାଇ ଦେଇଛନ୍ତି । ସୀମା ସୁରକ୍ଷା ବଳ ଅତିରିକ୍ତ ଡିଜି ଭାବେ ରାଧିକା କାର୍ଯ୍ୟ କରୁଥିଲେ । ୨୦୧୮ ଅକ୍ଟୋବରରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ରାଧିକା ୨୦୨୦ ନଭେମ୍ବରରେ ସୀମା ସୁରକ୍ଷା ବଳର ଅତିରିକ୍ତ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ସରକାରୀ ଚାକିରିରୁ ୨୦୨୪ ଜୁଲାଇରେ ଅବସର ନେବେ । ଅବସର ନେବାକୁ ଆଉ ମାତ୍ର ୮ମାସ ଥିବାବେଳେ ତାଙ୍କୁ ନିଜ କ୍ୟାଡ଼ରକୁ କେନ୍ଦ୍ର ସରକାର ଫେରାଇ ଦେଇଛନ୍ତି । ଏହାପରେ ବରିଷ୍ଠତା ଭିତ୍ତିରେ ଆଇପିଏସ୍ ରାଧିକାଙ୍କୁ ରାଜ୍ୟ ସରକାର ପରବର୍ତ୍ତୀ ଡିଜି ଭାବେ ନିଯୁକ୍ତି ଦେଇଛନ୍ତି।