ଓଡ଼ିଶା 365 (ବ୍ୟୁରୋ): ଆସିଛି ଆଲୋକର ପର୍ବ ଦୀପାବଳି । ସଜେଇ ହୋଇଛି ଅଯୋଧ୍ୟା । ସାଜସଜ୍ଜା ଏପରି ଢଙ୍ଗରେ କରାଯାଇଛି ଯେ ସତେ ଯେପରି ସ୍ୱର୍ଗ ପୃଥିବୀକୁ ଓହ୍ଲାଇ ଆସିଛି । ଚମତ୍କାର ରାସ୍ତା, ଗୋଟିଏ ରଙ୍ଗରେ ରଙ୍ଗୀନ ହୋଇଥିବା ଅଟ୍ଟାଳିକା ଏବଂ ରାମକଥା ଉପରେ ଆଧାରିତ ୧୫ ଟି ଆର୍କୱେ ସହିତ ଆକର୍ଷଣୀୟ ଆଲୋକ ଏବଂ ଅନେକ ସ୍ୱାଗତ ଫାଟକ ଅଯୋଧ୍ୟାର ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି । ଶନିବାର ଦୀପୋତ୍ସବରେ ୨୧ ଲକ୍ଷ ଦୀପ ଜାଳିବା ପାଇଁ ପ୍ରସ୍ତୁତି ଚାଲିଛି, ଯାହା ଏକ ବିଶ୍ୱ ରେକର୍ଡ ମଧ୍ୟ ପ୍ରମାଣିତ ହେବ । ଏହି ରେକର୍ଡ ହାସଲ କରିବା ପାଇଁ ଅତିରିକ୍ତ ୩ ଲକ୍ଷ ୬୦ ହଜାର ଦୀପ ମଧ୍ୟ ଜଳିବ ଯାହା ଦ୍ୱାରା ଅଯୋଧ୍ୟା ସମ୍ପୂର୍ଣ୍ଣ ରୂପେ ସଜେଇ ହେବ ।
ସରଜୁ ନଦୀ ନିକଟସ୍ଥ ରାମ କୀ ପୌଡ଼ିରେ ୨୨ ହଜାରରୁ ଅଧିକ ସ୍ବେଚ୍ଛାସେବୀ ମାଟି ଦୀପ ଜଳାଇବା ପାଇଁ ଲାଗି ପଡିଛନ୍ତି। ଲକ୍ଷ ଲକ୍ଷ ଦୀପଗୁଡ଼ିକ କେଉଁ କେଉଁ ସ୍ଥାନମାନଙ୍କରେ ଲଗାଯିବ ସେ ନେଇ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଁଚିଛି। ଗୋଟିଏ ସ୍କୋୟାରରେ ୨୫୬ ଲେଖାଏଁ ମାଟି ଦୀପ ଲଗାଇବେ ସ୍ବେଚ୍ଛାସେବୀ । ୨ଟି ସ୍କୋୟାର ମଧ୍ୟରେ ବ୍ୟବଧାନ ୨ରୁ ୩ ଫୁଟ୍ ରହିବ। ଦୀପୋତ୍ସବ ଅବସରରେ ସବୁଠୁ ଆକର୍ଷଣୀୟ ହେବ ଲେଜର ସୋ’ । ଏହାରି ମଧ୍ୟରେ ରାମଲୀଳା ମଧ୍ୟ କରାଯିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଯାଇ ସମସ୍ତଙ୍କୁ ଉତ୍ସାହିତ କରିବେ । ଦୀପୋତ୍ସବରେ ସରଜୁ ନଦୀ କୂଳରେ ଭବ୍ୟ ଆରତି ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଅବସରରେ ଅଯୋଧ୍ୟାରେ ପହଁଚି ରାମ ମନ୍ଦିରରେ ପୂଜା କରିବେ। ଶ୍ରୀରାମ ଜନ୍ମଭୂମି ମନ୍ଦିରର ନିର୍ମାଣ କାର୍ୟ୍ୟ ମଧ୍ୟ ଦେଖିବେ ପ୍ରଧାନମନ୍ତ୍ରୀ । ସନ୍ଧ୍ୟା ୬.୩୦ରେ ମୋଦୀ ସରଜୁ ନଦୀ କୂଳରେ ଆରତୀ ଦେଖିବେ। ଆସନ୍ତାବର୍ଷ ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଘୋଷଣା ହୋଇଥିବାରୁ ଅଯୋଧ୍ୟା ରାମମୟ ହୋଇଛି । କାନ୍ଥରେ ରଙ୍ଗୀବେରଙ୍ଗର ରାମଲୀଳା ଚିତ୍ର ଅଙ୍କାଯାଇଛି । ଅଯୋଧ୍ୟାରେ ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ମଧ୍ୟ ଅଯୋଧ୍ୟାରେ ପହଁଚିଛନ୍ତି । ଗତ ୫ ବର୍ଷ ହେଲା ଅଯୋଧ୍ୟାରେ ଦୀପୋତ୍ସବର ଆୟୋଜନ ହୋଇ ଆସୁଛି ।