ଓଡ଼ିଶା 365 (ବ୍ୟୁରୋ): ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଏହାକୁ ଉତ୍ସାହର ସହ ପାଳନ କରିବା ପାଇଁ ସବୁଠି ପ୍ରସ୍ତୁତି ଜୋରସୋରରେ ଚାଲିଛି । ତେବେ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ଉପରେ କଟକଣା ଲଗାଯାଇଛି । ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ବାଣ ଫୁଟାଇବାର ସମୟ ଆହୁରି କମ୍ କରି ଦିଆଯାଇଛି। ମୁମ୍ବାଇ ହାଇକୋର୍ଟ ଏବେ କେବଳ ରାତି ୮ଟାରୁ ୧୦ଟା ମଧ୍ୟରେ ହିଁ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି। ପୂର୍ବରୁ ସନ୍ଧ୍ୟା ୭ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ବାଣ ଫୁଟାଇବାର ଅନୁମତି ଥିଲା। ମୁମ୍ବାଇର ବାୟୁ ଗୁଣବତ୍ତା ଖରାପ ହେଉଛି, ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
ମୁମ୍ବାଇ ହାଇକୋର୍ଟ ମହାନଗରରେ ପ୍ରଦୂଷଣକୁ ନେଇ ୩ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଏମସିକୁ ମଧ୍ୟ ଏହି କମିଟିକୁ ସାହାଯ୍ୟ କରିବାକୁ କୁହାଯାଇଛି। ଏମଏମଆରର ସମସ୍ତ ପୌର ନିଗମକୁ ସେମାନଙ୍କ ଅଞ୍ଚଳରେ ପ୍ରଦୂଷଣ ଏବଂ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଦୈନିକ ରିପୋର୍ଟ ଦାଖଲ କରିବାକୁ ପଡିବ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ କମିଟି ସମ୍ପୃକ୍ତ ନଗର ନିଗମକୁ ପରାମର୍ଶ ଦେବ। ଦୈନିକ ରିପୋର୍ଟକୁ ଆଧାର କରି କମିଟି ନିଜର ମନ୍ତବ୍ୟ ସହିତ ସାପ୍ତାହିକ ରିପୋର୍ଟ ପ୍ରସ୍ତୁତ କରିବ ଏବଂ ଏହାକୁ କୋର୍ଟରେ ଦାଖଲ କରିବ। ହାଇକୋର୍ଟ କହିଛନ୍ତି ଯେ ଆମର ଏହି ଆଦେଶ ଏମଏମଆରର ସମସ୍ତ ନଗର ନିଗମ ଏବଂ ନଗର ପଞ୍ଚାୟତ ଉପରେ ଲାଗୁ ହେବ।