ଓଡ଼ିଶା 365 (ବ୍ୟୁରୋ): କୋଲକାତାରୁ ପାରାଦୀପ ଆସୁଥିବା ବସ୍ରେ ନିଆଁ ଲାଗି ବସଟି ସଂପୂର୍ଣ୍ଣ ପୋଡିଯାଇଛି । ନିଆଁରେ ପୋଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ବସ୍ରେ ୩୮ ଯାତ୍ରୀ ଥିଲେ । ଡ୍ରାଇଭର ଏବଂ ହେଲପର ନିଖୋଜ ଥିବାରୁ ସବିଶେଷ ତଥ୍ୟ ମିଳିପାରିନାହିଁ । ବସରେ ବାଣ ବିସ୍ଫୋରଣ ଘଟି ନିଆଁ ଲାଗିଥିବା କୁହାଯାଉଛି । ଖଡ଼ଗପୁର ନିକଟରେ ବସରେ ଅଗ୍ନିକାଣ୍ଡ ଘଟଣାରେ ଅନ୍ୟଙ୍କୁ ବଞ୍ଚାଉ ବଞ୍ଚାଉ ନିଜେ ପୁଷ୍କାଞ୍ଜଳି ନାମକ ମହିଳାଙ୍କ ମୃତ୍ୟୁ ଘଟିଛି । ସ୍ବାମୀ, ପୁଅଙ୍କୁ ବାହାରକୁ ପଠାଇ ଅନ୍ୟମାନେ ବାହାରିବା ପରେ ନିଜେ ବସରେ ରହିଯାଇଥିଲେ ପୁଷ୍ପାଞ୍ଜଳି । ତାଙ୍କ ଘର କେନ୍ଦ୍ରାପଡ଼ା ମାର୍ଶାଘାଇ ବୋଲି ଜଣାପଡିଛି । ଅଗ୍ନିକାଣ୍ଡ ସମୟରେ ଜରୁରୀକାଳୀନ ଗେଟ୍ ଖୋଲିନଥିବା କୁହାଯାଉଛି ।
ବସରେ ଅଗ୍ନିକାଣ୍ଡ ବେଳେ ୩୮ ଜଣ ଥିଲେ । ଓଡ଼ିଶାରୁ ଥିଲେ ୩୧ ଜଣ ।..ପଶ୍ଚିମବଙ୍ଗର କୋଲକାତା ବାବୁଘାଟରୁ ପାରାଦୀପ ଆସୁଥିଲା ବସ । ମୃତ ମହିଳା କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଅଙ୍ଗୁଳି ପଞ୍ଚାୟତ ନୋଳିଆ ଗାଁର ବୋଲି ସୂଚନା ମିଳିଛି। ତାଙ୍କ ନାମ ପୁଷ୍ପାଞ୍ଜଳି ଦାସ ବୋଲି ଜଣାଯାଇଛି। ପୁଷ୍ପାଞ୍ଜଳିଙ୍କ ସ୍ବାମୀ ରାଜେନ୍ଦ୍ର ଦାସଙ୍କ କହିବା ଅନୁଯାୟୀ, ସେ ତାଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି(୩୪), ପୁଅ(୭) ଓ ଝିଅ(୧୧) ବସରେ ନିଜ ଗାଁକୁ ଆସୁଥିଲେ। ରାତିରେ ବସରେ ନିଆଁଲାଗିଥିବା ଜାଣି ପ୍ରଥମେ ସ୍ତ୍ରୀ ପୁଷ୍ପାଞ୍ଜଳି ତାଙ୍କୁ ବାହାରକୁ ଚାଲିଯିବା ଲାଗି କହିଥିଲେ। ଏହାପରେ ସେ ଝିଅକୁ ଧରି ବସ୍ ବାହାରକୁ ଚାଲିଆସିଥିଲେ। ଏହାପରେ ନିଜର ପୁଅକୁ ସେ ଝରକା ବାଟେ ଦେଇଥିଲେ।
ତାପରେ ବୃଦ୍ଧ ଦମ୍ପତି ଯାତ୍ରୀଙ୍କୁ ପୁଷ୍ପାଞ୍ଜଳି ବସ୍ ବାହାରକୁ ଆଣିବା ଲାଗି ପ୍ରଚେଷ୍ଟା ଚଳାଇଥିଲେ। ହେଲେ ସେତେବେଳକୁ ତାଙ୍କ ଶରୀରରେ ନିଆଁଲାଗିଯାଇଥିଲା। ଅନ୍ୟକୁ ଉଦ୍ଧାର କରିବାକୁ ଯାଇ ନିଜ ଜୀବନ ବଳିଦେଇଥିଲେ ପୁଷ୍ପାଞ୍ଜଳି। ରାଜେନ୍ଦ୍ର ଦାସ କୋଲକାତାରେ ଏକ ସପିଂ ମଲରେ କାମ କରନ୍ତି।ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ କୋଲକାତାଠାରୁ ୧୫୦ କିମି ଦୂର ୧୬ ନମ୍ବର ଜାତୀୟ ରାଜପଥର ଖଡ଼ଗପୁର ଡେବ୍ରା ନିକଟରେ ଶିବମ୍ ଟ୍ରାଭେଲ୍ସର ‘ସଦାନନ୍ଦ’ ନାମକ ଏକ ଏସି ସ୍ଲିପର୍ ବସ୍ ଜଳିଯାଇଥିଲା। ନିଆଁ ଲାଗିବା ପରେ କିଛି ଯାତ୍ରୀ ବସ୍ର ଝରକା କାଚ ଭାଙ୍ଗି ବାହାରକୁ ଡେଇଁପଡ଼ିଥିଲେ। ୩୬ରୁ ଅଧିକ ଯାତ୍ରୀ ବସ୍ ଭିତରୁ ବାହାରି ପାରି ନଥିଲେ। କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ମେଦିନୀପୁର ମେଡିକାଲ୍ କଲେଜ ହସ୍ପିଟାଲ୍ ଏବଂ ଗ୍ରାମୀଣ ଡାକ୍ତରଖାନାକୁ ନେଇଥିଲେ।