ଓଡ଼ିଶା 365 (ବ୍ୟୁରୋ): ପ୍ରତିରକ୍ଷା କ୍ଷେତ୍ରରେ ଭାରତ ରଚିବାକୁ ଯାଉଛି ଆଉ ଏକ ଇତିହାସ । ଏଣିକି ଲଢୁଆ ଯାନ ନିର୍ମାଣ କରିବ ଭାରତ-ଆମେରିକା । ପ୍ରତିରକ୍ଷା ଶିଳ୍ପ ସହଯୋଗର ଅଂଶବିଶେଷ ଭାବେ ଭାରତ ଏବଂ ଆମେରିକା ମିଳିତ ଭାବେ ଲଢ଼ୁଆ ଯାନ ନିର୍ମାଣ କରିବେ ବୋଲି ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ୍ ଶୁକ୍ରବାର କହିଛନ୍ତି। ଏହା ବ୍ୟତୀତ ଆମେରିକା ଭାରତକୁ ୩୧ଟି ଏମ୍କ୍ୟୁ-୯ବି ଡ୍ରୋନ୍ ଖୁବ୍ଶୀଘ୍ର ଯୋଗାଇଦେବା ପାଇଁ ଯଥାସମ୍ଭବ ଉଦ୍ୟମ ଜାରି ରଖିଛି ଓ ଠିକ୍ ସମୟରେ ତାହା ଘୋଷଣା କରାଯିବ। ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କକୁ ମହାକାଶରୁ ସମୁଦ୍ର ଗର୍ଭ ପର୍ୟ୍ୟନ୍ତ ସବୁ କ୍ଷେତ୍ରରେ ବଢ଼ାଇବାକୁ ପଦକ୍ଷେପ ନିଆଯାଉଥିବା ଅଷ୍ଟିନ୍ କହିଛନ୍ତି। ଦିଲ୍ଲୀରେ ଦୁଇଦେଶର ପ୍ରତିରକ୍ଷା ଓ ବହିର୍ବ୍ୟାପାର ମନ୍ତ୍ରଣାଳୟସ୍ତରୀୟ ଆଲୋଚନା ପରେ ଅଷ୍ଟିନ୍ ଖବରଦାତାମାନଙ୍କୁ ଏହି ସୂଚନା ଦେଇଛନ୍ତି।
ଅଷ୍ଟିନ୍ଙ୍କ ସହ ଆମେରିକା ପ୍ରତିନିଧି ଦଳରେ ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଥିବାବେଳେ ଭାରତ ପକ୍ଷର ନେତୃତ୍ୱ ନେଇଥିଲେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଚାଇନାଠାରୁ ସୁରକ୍ଷାଗତ ଚ୍ୟାଲେଞ୍ଜ ବଢ଼ୁଥିବା ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା। ଦୁଇ ଦେଶର କୂଟନୈତିକ ଓ ପ୍ରତିରକ୍ଷା ମୁଖ୍ୟମାନେ ଆଲୋଚନାରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସୁରକ୍ଷା, ଚାଇନା ଏବଂ ଇସ୍ରାଏଲ୍-ହମାସ୍ ଯୁଦ୍ଧ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଭବିଷ୍ୟତରେ କାର୍ୟ୍ୟକାରୀ ହେବାକୁ ଥିବା ବିଭିନ୍ନ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିବା ଆମେରିକା ପରରାଷ୍ଟ୍ର ସଚିବ ବ୍ଲିଙ୍କେନ୍ କହିଛନ୍ତି।