ଓଡ଼ିଶା 365 (ବ୍ୟୁରୋ): ରାଜ୍ୟରେ ହାତୀ ମୃତ୍ୟୁରେ ଲାଗୁନି ରୋକ୍। ଆଜି ପୁଣି ଦନ୍ତା ହାତୀର ମୃତଦେହ ଠାବ ହୋଇଛି। କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଜଗମୋହନପୁର ଫରେଷ୍ଟ ବିଟ ସଲେଇକନା ଭାଡିମରା ସାହି ନିକଟ ଏକ କାଜୁ ବଗିଚା ପାଖ ଚାଷ ଜମିରୁ ଆଜି ସକାଳୁ ଏହି ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି।
ସୂଚନା ଅନୁସାରେ, ଆଜି ସକାଳେ ତେଲକୋଇ ରେଞ୍ଜ ଜଗମୋହନପୁର ଫରେଷ୍ଟ ବିଟ ସଲେଇକନା ଭାଡିମରା ସାହି ନିକଟ ଏକ କାଜୁ ବଗିଚା ପାଖ ଚାଷ ଜମିରୁ ଦନ୍ତା ହାତୀର ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ବନବିଭାଗକୁ ଖବର ଦେଇଥିଲେ । ଦନ୍ତା ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୮ତାରିଖ ଦିନ ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଖଜୁରିଆକଟା ସେକସନ ନୂଆବଗ ବ୍ୟାରେଜ ନିକଟରୁ ଏକ ଦନ୍ତା ହାତୀର ମୃତଦେହ ଠାବ କରିଥିଲା ବନବିଭାଗ । ହାତୀଟିର ବୟସ ୨୦ ରୁ ୨୫ ବର୍ଷ ହୋଇଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।