ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତି ଆଗକାଳରେ ଲୋକେ ମାଟି ପାତ୍ର ବ୍ୟବହାର କରୁଥିଲେ । ପରେ ମାଟି ପାତ୍ରରେ ରୋଷେଇ କରିବା ଓ ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳୁଥିଲା । ଏହାପରେ ଧିରେ ଧିରେ ତମ୍ବା ପାତ୍ର ବ୍ୟବହାର ହେଲା । ତମ୍ବା ପାତ୍ରରେ ଖାଇବା ଓ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏବେ ବି ଅଧିକାଂଶ ଲୋକ ତମ୍ବା ପାତ୍ରରେ ପାଣି ପିଅନ୍ତି । ତମ୍ବାରେ ପ୍ରତିରୋଧକ କ୍ଷମତା ରହିଥାଏ । ଜାଣନ୍ତୁ ତମ୍ବା ପାତ୍ରରେ ପାଣି ପିଇଲେ କଣ ଫାଇଦା ମିଳିଥାଏ ?
ଆୟୁର୍ବେଦ ଅନୁସାରେ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇଲେ କିମ୍ବା ଖାଦ୍ୟ ସେବନ କଲେ ରକ୍ତଚାପ ଓ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହେ। ଏହା ହୃଦୟକୁ ବି ସୁସ୍ଥ ରଖେ । ତମ୍ବାରେ ଆଣ୍ଟି-ଇନଫ୍ଲାମେଟରୀ ଗୁଣ ରହିଛି ଯାହା ଶରୀରର ଯନ୍ତ୍ରଣା ଓ ସୁଜନ ସମସ୍ୟା ଦୂର କରିଥାଏ। ଆର୍ଥରାଇଟିସ ସମସ୍ୟା ପାଇଁ ମଧ୍ୟ ତମ୍ବା ପାତ୍ର ପାଣି ଲାଭଦାୟକ । ପୁରାତନ ଯୁଗରେ ଲୋକେ ବ୍ୟାକ୍ଟେରିଆ, ଭାଇରସ ନଷ୍ଟ କରିବାକୁ ନଦୀ, ହ୍ରଦ, କୂଅ ଆଦିରେ ତମ୍ବା ମୁଦ୍ରା ପକାଇ ଦେଉଥିଲେ। କିନ୍ତୁ ଆଧୁନିକ ଯୁଗରେ ଲୋକେ ଏହାର ପ୍ରକୃତ ଅର୍ଥ ନ ବୁଝି ଫୋପାଡ଼ି ଦେଇଥାନ୍ତି ।
ଆୟୁର୍ବେଦ ଅନୁସାରେ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ବ୍ୟାକ୍ଟେରିଆକୁ ନଷ୍ଟ କରି ପାଣିକୁ ଶୁଦ୍ଧ କରିଦେଇଥାଏ । ତମ୍ବା ଶରୀରର ପ୍ରତିରୋଧକ କ୍ଷମତା ମଜବୁତ କରିଥାଏ ଏବଂ ନୂଆ କୋଷ ଉତ୍ପାଦନ କରିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଶରୀରର କ୍ଷତ ମଧ୍ୟ ଶୀଘ୍ର ଭଲ ହୋଇଯାଇଥାଏ । ତମ୍ବାରେ ମାଇକ୍ରୋଵିୟଲ ଗୁଣ ରହିଛି ଯାହା ଅନେକ ପ୍ରକାର ସଂକ୍ରମଣ ସହ ଲଢ଼ିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ମେଦ କମ କରିବାକୁ ଚାହୁଁଛନ୍ତି ତାହେଲେ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ଉତ୍ତମ ଉପାୟ । ନିୟମିତ ସେବନ ଦ୍ୱାରା ଶରୀରର ଅତିରିକ୍ତ ମେଦ ନିୟନ୍ତ୍ରଣ କରାଯାଇପାରିବ ।
ନିୟମିତ ତମ୍ବା ପାତ୍ର ବ୍ୟବହାର କଲେ ପାଚନ ପ୍ରକ୍ରିୟା ମଜବୁତ ହୋଇଥାଏ। ଏହାଦ୍ୱାରା ଗ୍ୟାସ, ଏସିଡ଼ିଟି, କୋଷ୍ଟକାଠିନ୍ୟ ଓ ପେଟ ଯନ୍ତ୍ରଣା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ । ତମ୍ବାରେ ଆଣ୍ଟି-ଏଜିଙ୍ଗ ଗୁଣ ରହିଛି। ନିୟମିତ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇଲେ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ଓ ତ୍ୱଚାକୁ ଉଜ୍ଜ୍ୱଳ ଦେଖାଯାଏ । ନିୟମିତ ତମ୍ବା ପାତ୍ର ପାଣି ପିଇଲେ ଥାଇରଏଡ ଜନିତ ରୋଗର ଆଶଙ୍କା ମଧ୍ୟ କମିଯାଇଥାଏ ।
ତମ୍ବା ପାତ୍ର ସଫା କରିବାକୁ ଲେମ୍ବୁରେ ଲୁଣ ମିଶାଇ ପାତ୍ରରେ ଘଷିଦେଲେ ସଫା ହୋଇଯାଏ। ତାଛଡା ସମାନ ପରିମାଣରେ ଲେମୁ ରସ ଓ ଲୁଣ ନେଇ ବେକିଙ୍ଗ ସୋଡ଼ା ମିଶାଇ ସଫା କଲେ ସମ୍ପୂର୍ଣ୍ଣ ସଫା ହୋଇଯାଇଥାଏ। ଗୋଟିଏ କପ ଭିନେଗାରରେ ଏକ ବଡ ଚାମଚ ଲୁଣ ପକାଇ ଏହି ପାଣିରେ ମଧ୍ୟ ତମ୍ବା ବାସନ ସଫା କରିପାରିବେ।