ଓଡ଼ିଶା 365 (ବ୍ୟୁରୋ): ପୁରୀ ଶ୍ରୀମନ୍ଦିରରେ ଠେଲାପେଲା ଯୋଗୁଁ ୧୦ରୁ ଅଧିକ ହବିଷ୍ୟାଳୀ ଆହତ ହୋଇଛନ୍ତି। ମଙ୍ଗଳଆଳତୀ ସମୟରେ ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଏହି ଠେଲାପେଲା ହୋଇଥିଲା। ଏଥିରେ ବଗଲା ଧର୍ମଶାଳା ସରକାରୀ ହବିଷ୍ୟାଳୀ ସେଣ୍ଟରରେ ଥିବା ଜଣେ ହବିଷ୍ୟାଳୀଙ୍କ ଗୋଡରେ ଲାଗିଛି ଶକ୍ତ ଆଘାତ। ଆହତ ହବିଷ୍ୟାଳୀଙ୍କୁ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି। ଦର୍ଶନ ସମୟରେ ପ୍ରବଳ ଗହଳି ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହେଉଛି।
ମଙ୍ଗଳାଳତୀ ପରେ ସିଂହଦ୍ୱାର ବେରିକେଡ ଖୋଲାଯିବା ସମୟରେ ହବିଷ୍ୟାଳୀଙ୍କୁ ଏକକାଳୀନ ମନ୍ଦିରକୁ ଛଡାଯାଇଥିଲା। ଫଳରେ ସାତପାହାଚ ନିକଟରେ ହଜାର ହଜାର ଭକ୍ତଙ୍କ ଗହଳି ଓ ଠେଲାପେଲା ହୋଇଥିଲା। ସୁରକ୍ଷା କର୍ମୀମାନେ ଗହଳି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ଫଳରେ ଏଭଳି ପରିସ୍ଥିତି ଉପୁଜିଛି।