ଓଡ଼ିଶା 365 (ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣକୁ ନେଇ ଏବେ ସମସ୍ତେ ଚିନ୍ତାରେ । କେବଳ ଲୋକେ ନୁହେଁ ସରକାର ମଧ୍ୟ ଏହାକୁ ନେଇ ଟେନସନରେ । ଏହାରି ଭିତରେ ଦିଲ୍ଲୀବାସୀଙ୍କ ପାଇଁ ପ୍ରକୃତି ଦେଇଛି ଏକ ଉପହାର । ପ୍ରଦୂଷଣକୁ ନେଇ ହଇରାଣ ହେଉଥିବା ଦିଲ୍ଲୀବାସୀଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ଦିଲ୍ଲୀ କିଛି ଅଞ୍ଚଳରେ ହୋଇଛି ବର୍ଷା । ଆଉ ଏ ବର୍ଷା କୃତିମ ନୁହେଁ, ବା ସରକାର କରାଇନାହାନ୍ତି । ଏହା ପ୍ରାକୃତିକ ଭାବେ ବର୍ଷା ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ବର୍ଷା ଦ୍ୱାରା ପ୍ରଦୂଷଣ ମାତ୍ରା ହ୍ରାସ ପାଇବ ବୋଲି କୁହାଯାଉଛି । ପାଣିପାଗ ବିଭାଗ, କଂଝାୱାଲା, ମୁଣ୍ଡାକା, ଜାଫରପୁର, ନଜଫଗଡ଼, ଏନସିଆରର କିଛି ଅଞ୍ଚଳରେ ବର୍ଷା ନେଇ ଆକଳନ କରାଯାଇଥିଲା ।
ପାଣିପାଗ ବିଭାଗର ଅନୁମାନ ଅନୁସାରେ, ଆଜି ଦିଲ୍ଲୀର ପାଗ ସାଧାରଣତଃ ମେଘୁଆ ରହିବ । ଏହାସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଯାହା ଫଳରେ ଲୋକଙ୍କୁ ପ୍ରଦୂଷଣରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ରାଜଧାନୀ ଦିଲ୍ଲୀରେ ଗତ ଗୁରୁବାର ଏକ୍ୟୁଆଇ ୪୩୭ ରହିଥିଲା, ଯାହା ଗୁରୁତ୍ୱର ଶ୍ରେଣୀର ବୋଲି କୁହାଯାଏ । ତେବେ ବର୍ଷା ପରେ କିଛି ସ୍ଥାନରେ ଏକ୍ୟୁଆଇ ସିଧା ୧୦୦ ଥିବା ରେକର୍ଡ ହୋଇଛି । ସେପଟେ ପ୍ରଦୂଷଣ ରୋକିବା ପାଇଁ କୃତ୍ରିମ ବର୍ଷା କରିବାକୁ ଯୋଜନା କରୁଛନ୍ତି ଦିଲ୍ଲୀ ସରକାର । ବାୟୁର ମାନକ ବଢ଼ାଇବା ପାଇଁ କେଜ୍ରିୱାଲ ସରକାର ଆଇଆଇଟି କାନପୁରର ସହ ଆଲୋଚନା ଜାରି ରଖିଛନ୍ତି । ଦୀପାବଳୀ ପରେ କୃତ୍ରିମ ବର୍ଷା କରାଇବାକୁ ଦିଲ୍ଲୀ ସରକାର ଯୋଜନା କରୁଛନ୍ତି । ଦେଖାଯାଉ ଏହା କେତେ କାମ ଦେଉଛି ।