ଓଡ଼ିଶ 365 (ବ୍ୟୁରୋ): ସମ୍ବଲପୁରରେ ସମଲେଇ ପ୍ରକଳ୍ପର ସମୀକ୍ଷା କଲେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳେ ସମ୍ବଲପୁରରେ ସମଲେଇ ପ୍ରକଳ୍ପର ସମୀକ୍ଷା କରି ଅଧିକ ମେସିନ ଓ ଲୋକ ବ୍ୟବହାର କରି କାମ ଆଗେଇ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମେ ମା ସମଲେଇଙ୍କ ପୂଜା ଅର୍ଚ୍ଚନା କରି ଭୋର୍ ୪ ଟା ରୁ ୬ଟା ପର୍ୟ୍ୟନ୍ତ ପ୍ରକଳ୍ପ ସ୍ଥଳ ବୁଲି କାମର ଅଗ୍ରଗତି ସମୀକ୍ଷା କରିଥିଲେ। ସମୀକ୍ଷାରେ ଭକ୍ତମାନଙ୍କ ପାଇଁ ସବୁ ସୁବିଧାର ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଥିଲେ। ଯାତ୍ରୀମାନେ ଯେପରି ଏକ ସୁନ୍ଦର ଆଧ୍ୟାତ୍ମିକ ଅନୁଭବ ନେଇ ଫେରିବେ ତାକୁ ଆଖିରେ ରଖି ସବୁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ । ଯାତ୍ରୀଙ୍କ ସୁବିଧା ପାଇଁ ମେଡିକାଲ ସେବାର ସୁବିଧା ରଖିବାକୁ ମଧ୍ୟ ସେ କହିଥିଲେ।
ଐତିହ୍ୟ କରିଡ଼ର ଓ ମନ୍ଦିର ଚାରି ପାଖେ ଖାଣ୍ଡେଲାଇଟ୍ ପଥର ବିଛେଇବା କାମକୁ ଶୀଘ୍ର ସରିବା, ସୌନ୍ଦର୍ୟ୍ୟ କରଣ ପାଇଁ ସ୍ଥାନୀୟ ବୃକ୍ଷଲତାର ବ୍ୟବହାର ଓ ସ୍ଥାନୀୟ ସଂସ୍କୃତିକୁ ଗୁରୁତ୍ଵ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ। ମନ୍ଦିର ଭିତରେ ନିର୍ମାଣ ହେଉଥିବା ବିଭିନ୍ନ କାମ, କ୍ଲକ୍ ଟାୱାର, ଓ ଲାମ୍ପ ରୁମ୍ କାମର ସୋନ୍ଦର୍ୟ୍ୟ କରଣ ଉପରେ ପାଣ୍ଡିଆନ ଗୁରୁତ୍ଵ ଦେଇଥିଲେ। ଦୁଇ ନମ୍ବର ଐତିହ୍ୟ ଗେଟ, ପାର୍କିଂ, ଐତିହ୍ୟ କରିଡ଼ରର ବାହାର ପଟରେ କୋବଲ ପଥର ବିଛାଇବା କାମ ଜଲଦି ସରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ପାନୀୟ ଜଳ ସୁବିଧା, ଟଏଲେଟ୍, ସିସିଟିଭି, ଓ ଆଲୋକିକରଣ କାମ ମଧ୍ୟ ତୁରନ୍ତ ସାରିବାକୁ ପରାମର୍ଶ ଦେଇଛନ୍ତି।