ଓଡ଼ିଶା 365 (ବ୍ୟୁରୋ): ଆଜି ଲୋକସଭାର ଏଥିକ୍ସ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଏହି ବୈଠକ ଡକାଯାଇଛି । ଏହି ବୈଠକରେ ଟିଏମସି ସାଂସଦ ମହୁଆ ମୈତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ପ୍ରସ୍ତୁତ ଡ୍ରାପ୍ଟ ରିପୋର୍ଟକୁ କମିଟି ଗ୍ରହଣ କରିପାରେ । ଏହା ଅପରାହ୍ନ ୪ରେ ଅନୁଷ୍ଠିତ ହେବ ।
ବିଜେପି ସାଂସଦ ନିଶିକାନ୍ତ ଦୁବେ ଉପହାର ବଦଳରେ ବ୍ୟବସାୟୀ ଦର୍ଶନ୍ ହିରାନନ୍ଦାନୀଙ୍କ ନିର୍ଦ୍ଦେଶରେ ଆଦାନୀ ଗ୍ରୁପକୁ ଟାର୍ଗେଟ କରିବାକୁ ଲୋକସଭାରେ ପ୍ରଶ୍ନ ପଚାରିଥିବା ଅଭିଯୋଗ କରିଛନ୍ତି। ଯାହାର ଅଭିଯୋଗ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ କରାଯାଇଥିଲା। ଏହା ପରେ ଏକ କମିଟି ଗଠନ କରାଯାଇଥିଲା। ଏହି ୧୫ ଜଣିଆ କମିଟିରେ ବିଜେପିର ୭ ଜଣ, କଂଗ୍ରେସରୁ ତିନି ଜଣ ଏବଂ ବିଏସପି, ଶିବସେନା, ୱାଇଏସଆର କଂଗ୍ରେସ ପାର୍ଟି, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଏବଂ ଜନତା ଦଳ (ୟୁନାଇଟେଡ୍) ର ଜଣେ ସଦସ୍ୟ ଅଛନ୍ତି।
ଏନଡିଟିଭି ରିପୋର୍ଟ ଅନୁଯାୟୀ, ୫୦୦ ପୃଷ୍ଠାର ସଂସଦୀୟ ଏଥିକ୍ସ କମିଟି ରିପୋର୍ଟରେ ପରାମର୍ଶ ଦିଆଯାଇଛି ଯେ ମହୁଆ ମୈତ୍ରୀଙ୍କୁ ସାଂସଦ ରହିବାକୁ ଦିଆନଯାଉ ଏବଂ ତାଙ୍କ ସଦସ୍ୟତା ବାତିଲ କରାଯାଉ। କମିଟି ମହୁଆ ମୈତ୍ରୀଙ୍କ କାର୍ୟ୍ୟକୁ “ଅତ୍ୟନ୍ତ ଆପତ୍ତିଜନକ, ଅନୈତିକ, ଘୃଣ୍ୟ ତଥା ଅପରାଧୀ” ବୋଲି ବର୍ଣ୍ଣନା କରିଛି ଏବଂ କଠୋର ଦଣ୍ଡବିଧାନ କରିବାକୁ ଦାବି କରିଛି।
କମିଟି ସିଦ୍ଧାନ୍ତ ନେଇଛି ଯେ ମହୁଆ ମୈତ୍ରୀ ୟୁଜର୍ ଆଇଡିକୁ “ଅନଧିକୃତ ବ୍ୟକ୍ତି” ଙ୍କ ସହ ବାଣ୍ଟିଛନ୍ତି, ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ନଗଦ ଟଙ୍କା ଏବଂ ସୁବିଧା ନେଇଛନ୍ତି ଏବଂ ଏହା ଏକ ଗୁରୁତର ଅପରାଧ। କମିଟି କଠୋର ଦଣ୍ଡ ଦାବି କରିଛି। ବୁଧବାର ନିଶିକାନ୍ତ ଦୁବେ ଦାବି କରିଛନ୍ତି ଯେ ମହୁଆ ମୈତ୍ରୀଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।