ଓଡ଼ିଶା ୩୬୫ (ବ୍ୟୁରୋ): ଦିଲ୍ଲୀରେ ଉତ୍କଟ ହେଉଛି ବାୟୁ ପ୍ରଦୂଷଣ । ସ୍ଥିତି ଅତି ସାଂଘାତିକ ସ୍ତରକୁ ଚାଲିଗଲାଣି । ଏହାକୁ କେମିତି ରୋକାଯାଇପାରିବ, ତାକୁ ନେଇ ଅନେକ ଆଲୋଚନା ଚାଲିଛି । ଏହାରି ଭିତରେ ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର କୃତ୍ରିମ ବର୍ଷା କରାଇବାକୁ ନିଷ୍ପତି ନେଇଛନ୍ତି । ଗତକାଲି ଆଇଆଇଟି କାନପୁରର ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ନଭେମ୍ବର ୨୦ରୁ ବର୍ଷା କରାଇବାକୁ ତାରିଖ ଧାର୍ୟ୍ୟ କରାଯାଇଛି । ଆଇଆଇଟି କାନପୁର ଏ ସଂକ୍ରାନ୍ତ ଚୂଡାନ୍ତ ଯୋଜନା ଦିଲ୍ଲୀ ସରକାରଙ୍କୁ ଉପଲବ୍ଧ କରାଇଛି । ତେବେ ଏନେଇ ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇବେ ଦିଲ୍ଲୀ ସରକାର ।
ଯଦି ନଭେମ୍ବର ୨୦-୨୧ ତାରିଖ ଦିଲ୍ଲୀ ଆକାଶରେ ମେଘ ଥାଏ ଏବଂ କୃତ୍ରିମ ବର୍ଷା ଅନୁମୋଦନକୁ ମଞ୍ଜୁରୀ ମିଳିଲେ ବର୍ଷା କରାଯିବ । ଆଉ ଏହା ହେବ ଦେଶରେ ପ୍ରଥମ ବୈଜ୍ଞାନିକ ପଦ୍ଧତି ଅନୁସାରେ କୃତ୍ରିମ ବର୍ଷା । କୃତ୍ରିମ ବର୍ଷା ହେଉଛି ଏଭଳି ଏକ ପ୍ରକ୍ରିୟା ଯେଉଁଥିରେ ଏୟାରକ୍ରାଫ୍ଟ ଜରିଆରେ ଆକାଶରେ ସିଲଭର ଆୟୋଡାଇଡ ବୁଣି ଦିଆଯାଏ । ବାଦଲ ସଂପର୍କରେ ସିଲଭର ଆୟୋଡାଇଡ୍ ଆସିବା ମାତ୍ରେ ଦ୍ରୁତ ଗତିରେ ବର୍ଷା ସୃଷ୍ଟିକାରୀ ବାଦଲ ବଢିଯାଏ ଏବଂ ବର୍ଷା ହୋଇଥାଏ । ବୈଜ୍ଞାନିକାନେ ଏହାକୁ କ୍ଲାଉଡ ସିଡିଂ ବୋଲି କହିଥାନ୍ତି । ଏହାହେଲେ ପ୍ରଦୂଷଣ କିଛି ମାତ୍ରାରେ କମିପାରିବ ବୋଲି କୁହାଯାଉଛି ।