ଓଡ଼ିଶା 365 (ବ୍ୟୁରୋ): ଆସନ୍ତା ୨୨ରେ ବିଧାନସଭା ସମ୍ମୁଖରେ ଧାରଣା ଦେବାକୁ ଘରୋଇ ବସ୍ ମାଲିକ ସଂଘ। ଏହାପରେ ଡିସେମ୍ୱର ୧ରୁ ବସ୍ ଧର୍ମଘଟକୁ ଓହ୍ଲାଇବ ସଂଘ । ଭବାନୀପାଟଣା ଠାରେ ଅନୁଷ୍ଠିତ ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ସାଧାରଣ ବୈଠକରେ ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ଅଭିମୁଖ୍ୟ ସହ ଆସନ୍ତା ୨୨ରେ ବିଧାନସଭା ସମ୍ମୁଖରେ ଧାରଣା ଦେବା ନେଇ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଯଦି ସରକାର ନଶୁଣନ୍ତି ତେବେ ଡିସେମ୍ବର ୧ରୁ ଆଉ ବସ୍ ରାସ୍ତାରେ ଗଡିବ ନାହିଁ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟରେ ଯିବେ ଘରୋଇ ବସ୍ ମାଲିକ ସଂଘ
ରାଜ୍ୟ ସମ୍ପାଦକ ଦେବେନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ସରକାର ଓଏସ୍ଆରଟିୟସିଠୁ ଆରମ୍ଭ କରି ମୋ ବସରେ କୋଟି କୋଟି ଟଙ୍କା କ୍ଷତିରେ ରହିଲେଣି । ଅଥଚ ଏଠି ସାଢ଼େ ୪ ଲକ୍ଷ ଲୋକ ନିଜର ଜୀବିକା ବଞ୍ଚୁଥିଲେ ବି ସରକାର ଲକ୍ଷ୍ମୀ ବସ ଚଲେଇ ବସ୍ ମାଲିକ ଓ ନିଯୁକ୍ତି ପାଇଥିବା ଯୁବକଙ୍କୁ ମାରିବାକୁ ବସିଛନ୍ତି । ଆମେ ତାଙ୍କ ଯୋଜନାକୁ ବିରୋଧ କରୁ ନାହୁଁ । କିନ୍ତୁ ସରକାରଙ୍କ ନୀତି ଭୁଲ ଥିବାରୁ ବେସରକାରୀ ବସ ସଂକଟରେ ରହିଛି । ଯାହାକୁ ରାଜ୍ୟବାପୀ ତୀବ୍ର ବିରୋଧ କରାଯିବ ।