ଓଡ଼ିଶା 365 (ବ୍ୟୁରୋ): ‘ବିଗବସ୍ ଓଟିଟି-୨’ର ବିଜୟୀ ଏଲଭିସ୍ ଯାଦବଙ୍କ ବିରୋଧରେ ବିଷାକ୍ତ ସାପ ଏବଂ ଯୁବତୀ ଚାଲାଣ କରିବା ଅଭିଯୋଗ ଆସିବା ପରେ ତାଙ୍କ ୫ଜଣ ସହଯୋଗୀଙ୍କୁ ଗିରଫ କରିଛି ପୁଲିସ। ଏହାସହିତ ଏଲଭିସ୍ ମୁଖ୍ୟ ଅଭିଯୁକ୍ତ ଅଛନ୍ତି ବୋଲି ତାଙ୍କ ନାଁରେ ପୁଲିସ ମାମଲା ରୁଜୁ କରିଥିଲା । ସେଥିପାଇଁ ୩ଟି ରାଜ୍ୟର ପୁଲିସ ତାଙ୍କୁ ଖୋଜିବା ଆରମ୍ଭ କରିଥିବାର ବେଳେ ଫେରାର ଥିବା ‘ବିଗ୍ ବସ୍ ଓଟିଟି-୨’ ବିଜୟୀ ଏଲଭିସ୍ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,ଯେ, ‘ଯେଉଁ ଭିଡିଓ ଆଧାରରେ ମାମଲା ରୁଜୁ ହୋଇଛି ତାହା ଗତ ଛଅ ମାସ ପୂର୍ବର ରହିଛି। ମୋର କୌଣସି ରେଭ୍ ପାର୍ଟି ସହିତ ସମ୍ପର୍କ ନାହିଁ। ମୋ ବିରୋଧରେ ରୁଜୁ କରାଯାଇଥିବା ସମ୍ପୂର୍ଣ୍ଣ ମାମଲାକୁ ମୁଁ ଖଣ୍ଡନ କରୁଛି। ମୁଁ ଗତ ଏକମାସ ହେବ ବିଭିନ୍ନ କାର୍ୟ୍ୟକ୍ରମ ଓ ସୁଟିଂରେ ବ୍ୟସ୍ତ ଅଛି। ଏହି କାରଣରୁ କେବେ ଲଣ୍ଡନ, କେବେ ମୁମ୍ବାଇ, କେବେ ଇନ୍ଦୋର ତ କେତେବେଳେ ଅହମ୍ମଦାବାଦ ବି ଯାଇଛି। ତେଣୁ ମୋ ବିରୁଧରେ ହୋଇଥିବା ସମସ୍ତ ଅଭିଯୋଗ ମିଥ୍ୟା ଅଟେ । ଯଦି ମୁଁ ଦୋଷୀ ତେବେ ମୁଁ ସମସ୍ତ ଦଣ୍ଡ ଭୋଗିବାକୁ ରାଜି ବି ଅଛି।’
ସେପଟେ ଆଜି ଲୋକପ୍ରିୟ ୟୁଟ୍ୟୁବର୍ ଏବଂ ବିଗ୍ ବସ୍ ଙଞଞ-୨ର ବିଜେତା ଏଲଭିଶ ଯାଦବଙ୍କୁ ମଙ୍ଗଳବାର ରାତି ପ୍ରାୟ ୧୧ ଟା ସମୟରେ ନୋଏଡା ସେକ୍ଟର ୨୦ ପୋଲିସ ଷ୍ଟେସନରେ ନୋଏଡା ପୋଲିସ ପଚରାଉଚରା କରିଥିଲା । ଏହି ପଚରାଉଚରା ପ୍ରାୟ ୫ଘଣ୍ଟା ଧରି ଚାଲୁରହିଥିଲା । ହେଲେ ତାହାର ତଦନ୍ତ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଆଜି ମଧ୍ୟ ପୋଲିସ ଏଲଭିଶ ଯାଦବଙ୍କୁ ପଚରାଉଚରା କରିବ ବୋଲି ସୂଚନା ରହିଛି ।ପଚରାଉଚରା ବେଳେ ଏଲଭିଶ କହିଛନ୍ତି ଯେ, ମୁଁ ନିର୍ଦ୍ଦୋଷ ଏବଂ ଏକ ଷଡଯନ୍ତ୍ରରେ ମତେ ଫସାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ମେନକା ଗାନ୍ଧୀ ଚଳାଉଥିବା ଏନଜିଓ ସଂସ୍ଥା ଏକ ଷ୍ଟିଙ୍ଗ ଅପରେସନ୍ କରି ନୋଏଡା ପୋଲିସ ନିକଟରେ ଅଭିଯୋଗ କରିଥିଲା। ଯାହାକୁ ଆଧାର କରି ପୁଲିସ ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ।କେବଳ ଏତିକି ନୁହେଁ ସାପ ବିଷ ସହିତ ବିଦେଶୀ ଯୁବତୀ ମାନଙ୍କୁ ରେଭ୍ ପାର୍ଟିକୁ ଆଣିବା ଅଭିଯୋଗ ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ କହିଛନ୍ତି ଯେ, ବିଗବସ୍ ବିଜୟୀ ଏଲଭିଶ ଯାଦବ ଏହି ଗ୍ୟାଙ୍ଗ ସହିତ ଜଡିତ ଅଛନ୍ତି । ଏହି ଗ୍ୟାଙ୍ଗ ନିକଟରୁ ପୁଲିସକୁ ୯ ଟି ସାପ ସହ ସାପ ବିଷ ମିଳିଥିଲା। ସେଥିମଧ୍ୟରୁ ୫ ଟି କୋବ୍ରା ଥିଲେ।