ଓଡ଼ିଶା 365(ବ୍ୟୁରୋ): ସଫଳ ହୋଇଛି ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ସର୍ଟ ରେଞ୍ଜ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର(ଏସ୍ଆର୍ବିଏମ୍) ‘ପ୍ରଳୟ’ର ପ୍ରଥମ ପରୀକ୍ଷଣ। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍ଡିଓ) ପକ୍ଷରୁ ଏହି ପରୀକ୍ଷଣ ହୋଇଥିଲା। ମଙ୍ଗଳବାର ସକାଳ ୯ଟା ୫୦ରେ ଭଦ୍ରକ ଧାମରା ନିକଟ ଅବଦୁଲ କାଲାମ ଦୀପସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୪ନଂ ଲଞ୍ଚ୍ କମ୍ପେ୍ଲକ୍ସରୁ ଏହି ପରୀକ୍ଷଣ କରାଯାଇଥିଲା । ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏହି ନୂତନ କ୍ଷେପଣାସ୍ତ୍ରକୁ ଏକ କଣ୍ଟେନର୍ରୁ ଉତ୍କ୍ଷେପଣ କରାଯଇଥିଲା । ଏହି ପରୀକ୍ଷଣ ମିଶନର ସମସ୍ତ ଉଦ୍ଦେଶ୍ୟ ପୂରଣ ହୋଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି କ୍ଷେପଣାସ୍ତ୍ରରେ କଠିନ ପ୍ରାପେଲାଣ୍ଟ ରକେଟ୍ ମୋଟର ସହିତ ଅନେକ ନୂତନ ଟେକ୍ନୋଲୋଜି ରହିଛି । ଏହା ପ୍ରାୟ ୫ଶହରୁ ୧ ହଜାର କେଜି ଓଜନର ଯୁଦ୍ଧାସ୍ତ୍ର ଧାରଣ କରିବାର କ୍ଷମତା ରଖିଛି । ୩୫୦ରୁ ୫୦୦ କିମି ଭିତରେ ଲକ୍ଷ୍ୟଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ରକୁ ମିସାଇଲ୍ ଗାଇଡ୍ ସିଷ୍ଟମ୍ରେ ଆର୍ଟ ନେଭିଗେସନ୍ ସିଷ୍ଟମ୍ ଏବଂ ଇଣ୍ଟିଗ୍ରେଟେଡ୍ ଆଭିଓନିକ୍ସ ଅନ୍ତର୍ଭୁକ୍ତ କରାଯାଇଛି ।
ଅତ୍ୟାଧୁନିକ ଜ୍ଞାନକୌଶଳ ଯୁକ୍ତ ଏହି କ୍ଷେପଣାସ୍ତ୍ରକୁ ଚୀନ ସୀମାର ଏଲ୍ଏସି ଓ ପାକିସ୍ତାନ ସୀମାର ଏଲ୍ଓସି ଅଞ୍ଚଳରେ ମୁତୟନ କରାଯିବ ବୋଲି ପ୍ରତିରକ୍ଷା ବିଭାଗ ସୂତ୍ରରୁ ସୂଚନା ମିଳିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପାକିସ୍ତାନ, ଚୀନ ସୀମାରେ ୧୨୦ଟି ବିଧ୍ୱଂସକ ପ୍ରଳୟ କ୍ଷେପଣାସ୍ତ୍ର ମୁତୟନ ପାଇଁ ସବୁଜ ସଙ୍କେତ ଦିଆଯାଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଲ୍ଏସି ବା ଏଲ୍ଓସି ନିକଟରେ ଏହି କ୍ଷେପଣାସ୍ତ୍ରକୁ ବ୍ୟବହାର କରାଯାଇପାରିବ । ଏହାର ମାଡ଼ରେ ପାକିସ୍ତାନ କିମ୍ବା ଚୀନର ବଙ୍କର, ତୋପ, ସେନା କ୍ୟାମ୍ପ୍ ଅଥବା ଯୁଦ୍ଧାସ୍ତ୍ର ଡିପୋ ନଷ୍ଟ କରିବାକୁ ବେଶି ସମୟ ଲାଗିବ ନାହିଁ । ‘ପ୍ରଳୟ’ କ୍ଷେପଣାସ୍ତ୍ର ସଠିକତା ଓ ଗତି ହିସାବରେ ସର୍ବାଧିକ ଘାତକ ସାବ୍ୟସ୍ତ ହେବ ବୋଲି କୁହାଯାଇଛି ।