ଓଡ଼ିଶା 365 (ବ୍ୟୁରୋ): ଆଜି କାର୍ତ୍ତିକ-କୃଷ୍ଣ ଦଶମୀ ମଳ ତିଥି। ଏଣୁ ଶ୍ରୀନ୍ଦିରରେ ଶ୍ରୀବିଗ୍ରହଙ୍କ ପାଇଁ ଅନୁଷ୍ଠିତ ହେବ ବନକଲାଗି ନୀତି । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ । ଏହି ସ୍ୱତନ୍ତ୍ର ନୀତି ପାଇଁ ଅପରାହ୍ଣ ୫ଟାରୁ ରାତି ୯ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ। ରାତି ୯ଟା ପରେ ଦର୍ଶନ ସ୍ୱାଭାବିକ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ ହେବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ସେବା ଓ ଏକ ସ୍ୱତନ୍ତ୍ର ନୀତି ହୋଇଥିବାରୁ ଦୀର୍ଗ ସମୟ ଧରି ଏହି ନୀତି ଚାଲିବ । ଏଣୁ ଏହି ସ୍ୱତନ୍ତ୍ର ନୀତି ପାଇଁ ଭକ୍ତମାନେ ଅପରାହ୍ଣରେ ପ୍ରାୟ ୪ ଘଣ୍ଟା ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ । ପାଳିଆ ପୂଜାପଣ୍ଡା, ପାଳିଆ ଖୁଣ୍ଟିଆ, ଗରାବଡ଼ୁ, ପାଳିଆ ପୁଷ୍ପାଳକ, ଚାଙ୍ଗଡ଼ା ମେକାପ, ମୁଦୁଲି ଆଦି ସେବକଙ୍କର ମଧ୍ୟ ଏହି ନୀତି ସମ୍ପାଦନରେ ଭୂମିକା ରହିଛି ।