ଓଡ଼ିଶା 365 (ବ୍ୟୁରୋ): କ୍ୟାନସର ନାଁ ଶୁଣିଲେ ଛାତିରେ ଛନକା ପଶେ। ହସଖୁସିର ପରିବାରରେ ବିଶାଦର କଳାବାଦଲ ଢାଙ୍କି ହୋଇଯାଏ । କାରଣ ଏ ରୋଗ ଜୀବନ ନେଇଯାଏ । ବିଶ୍ୱରେ ଏହି ରୋଗରେ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ପ୍ରତି ବର୍ଷ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ଏହି ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକମାନେ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଜୀବନଶୈଳୀରେ ପରିବର୍ତ୍ତନ ସହିତ ଖାଦ୍ୟପେୟରେ ଅନିୟମିତତା ଯେଉଁଭଳି ଭାବେ ପରିଲକ୍ଷିତ ହେଉଛି, ଯଦି ଏହି ଧାରା ଆଗରୁ ଜାରି ରଖିବ ତେବେ ଆସନ୍ତା କିଛିବର୍ଷ ମଧ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ। ଏ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି।
କର୍କଟ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବା ଦ୍ବାରା ଏକ ସୁସ୍ଥ ଜୀବନ ଏବଂ ଠିକ ସମୟରେ କ୍ୟାନସରର ପ୍ରତିରୋଧ ଏବଂ ଚିକିତ୍ସା କରାଯାଇ ପାରିବ। କର୍କଟ ଚିହ୍ନଟ, ପ୍ରତିରୋଧ ଏବଂ ଚିକିତ୍ସା ବିଷୟରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ନଭେମ୍ବର ମାସ ୭ ତାରିଖ ଆର୍ଥାତ ଆଜିର ଦିନକୁ ଜାତୀୟ କର୍କଟ ସଚେତନତା ଦିବସ ଭାବେ ପାଳନ କରାଯାଏ। ରିପୋର୍ଟ ଅନୁସାରେ, ପ୍ରତିବର୍ଷ ମହିଳାଙ୍କ କ୍ଷେତ୍ରରେ ସ୍ତନକର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ଏକ ରିପୋର୍ଟ ଅନୁଯାୟୀ, ଭାରତର ପ୍ରତି ଏକ ଲକ୍ଷ ମହିଳାଙ୍କ ମଧ୍ୟରୁ ୧୦୫ ଜଣ ସ୍ତନ କର୍କଟରେ ଆକ୍ରାନ୍ତ ହୋଉଛନ୍ତି । ଏହି ଗମ୍ଭୀର କର୍କଟ ରୋଗକୁ ରୋକିବା ପାଇଁ ଅକ୍ଟୋବର ମାସରେ ସ୍ତନ କର୍କଟ ସଚେତନତା ମାସ ପାଳନ କରାଯାଏ।
ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରଥମେ ଜାତୀୟ କର୍କଟ ସଚେତନତା ଦିବସ ପାଳନ କରିବାକୁ ଘୋଷଣା କରିଥିଲେ। ପ୍ରଥମେ ୨୦୧୪ ମସିହା ସେପ୍ଟେମ୍ବର ମାସରେ ଏକ କମିଟି ଗଠନ କରାଯାଇଥିଲା । ପ୍ରତିବର୍ଷ ନଭେମ୍ବର ୭ ତାରିଖକୁ ଜାତୀୟ କର୍କଟ ସଚେତନତା ଦିବସ ଭାବେ ପାଳନ କରିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଥିଲା । ୭ନଭେମ୍ବରରେ କାହିଁକି ଜାତୀୟ କର୍କଟ ସଚେତନତା ଦିବସ ଦିବସ ପାଳନ କରାଯାଏ, ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୁଏ। ରିପୋର୍ଟ ଅନୁସାରେ, ନୋବେଲ ପୁରସ୍କାର ବିଜେତା ମାଡାମ କ୍ୟୁରିଙ୍କ ଜନ୍ମଦିନକୁ ଜାତୀୟ କର୍କଟ ସଚେତନତା ଦିବସ ଭାବେ ପାଳନ କରାଯାଏ । କାରଣ କର୍କଟ ରୋଗର ମୁକାବିଲା ପାଇଁ ମାଡାମ କ୍ୟୁରିଙ୍କର ବହୁ ଯୋଗଦାନ ରହିଥିଲା। ତାଙ୍କ ଅବଦାନକୁ ମନେ ରଖିବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ କର୍କଟ ସଚେତନତା ଦିବସ ପାଳନ କରାଯାଉଛି ।