ଓଡ଼ିଶା 365 (ବ୍ୟୁରୋ) : ଅଲସର୍ ହେଉଛି ଘା’। ଖାଦ୍ୟନଳୀ କିମ୍ବା ପାକସ୍ଥଳୀରେ ଘା‘ ହେବାକୁ ଅଲସର ବୋଲି କୁହାଯାଏ । ଠିକ୍ ସମୟରେ ଏହାର ଚିକିତ୍ସା କରାନଗଲେ, ଏହା କ୍ୟାନସର ଭଳି ଭୟଙ୍କର ରୋଗ ସୃଷ୍ଟି କରିପାରେ । ତେଣୁ ଶରୀରରେ ଅଲସରର ଲକ୍ଷଣ ଦେଖାଦେଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍ । ତେବେ ଅଲସର୍ ହେଲେ ଶରୀରରେ କିଛି ଲକ୍ଷଣ ଦେଖାଯାଇଥାଏ । କେଉଁ ସ୍ଥାନରେ ଅଲସର ହୋଇଛି, ସେହି ଅନୁଯାୟୀ ଏହାର ଲକ୍ଷଣ ଜଣାପଡ଼େ । ଯଦି ଖାଦ୍ୟନଳୀ ଭିତରେ ଅଲସର ହୋଇଛି, ତାହାହେଲେ ଖାଦ୍ୟ ଢୋକିବା ବେଳେ ଯନ୍ତ୍ରଣା ହୋଇଥାଏ । ଯଦି ଖାଦ୍ୟ ନଳୀରେ ବଡ଼ ଘା ହୁଏ ତେବେ ରକ୍ତ ବାନ୍ତି ମଧ୍ୟ ହୋଇଥାଏ । ଯଦି ପାକସ୍ଥଳୀରେ ଅଲସର ହୋଇଛି, ତେବେ ଯନ୍ତ୍ରଣା ହୋଇପାରେ । ଏହି ଯନ୍ତ୍ରଣା ଖାଇ ସାରିବା ପରେ ହୋଇପାରେ। କେତେକ କ୍ଷେତ୍ରରେ ରକ୍ତ ବାନ୍ତି ବା କଳା ଝାଡ଼ା ହୋଇପାରେ । ଯେତେବେଳେ ଅଲସରରୁ ରକ୍ତସ୍ରାବ ହୁଏ, ସେତେବେଳେ ଏହି ରକ୍ତ ତଳକୁ ଯାଇ କଳାଝାଡ଼ା କରାଏ ।
ପାକସ୍ଥଳୀରେ ଅଲସର ହୋଇଥିଲେ ତାହା କ୍ୟାନ୍ସରରେ ବି ପରିଣତ ହେବାର ଆଶଙ୍କା ଅଧିକ ଥାଏ । ଖାଦ୍ୟନଳୀରେ ଅଲସର ହୋଇଥିଲେ ତାକୁ ଇସୋଫାଗସ୍ ଅଲସର ବୋଲି କୁହାଯାଏ । ଏସିଡ୍ ରିଫ୍ଲକ୍ସ, ପେନ୍କିଲର ସେବନ ଯୋଗୁଁ ବା ଅତ୍ୟଧିକ ଆଣ୍ଟିବାୟୋଟିକ୍ ଖାଇବା ଯୋଗୁଁ ମଧ୍ୟ ଖାଦ୍ୟନଳୀରେ ଅଲସର ହୋଇପାରେ । ସାଧାରଣତଃ ଦୁଇ ପ୍ରକାରର ଅଲସର ଦେଖାଦିଏ, ଯେପରିକି ବିନାଇଙ୍ଗ ଅଲସର, ମାଲିଗ୍ନାଣ୍ଟ ଅଲସର। ଏହି ଅଲସର କ୍ୟାନ୍ସର ସୃଷ୍ଟି କରିପାରେ । ଯଦି ଜଣେ ବ୍ୟକ୍ତିଙ୍କୁ ରକ୍ତ ବାନ୍ତି ବା କଳାଝାଡ଼ା ଭଳି ଲକ୍ଷଣ ଦେଖାଦେଇଥାଏ, ତାହାହେଲେ ଜାଣିବା ଅଲସର ହୋଇଥାଇପାରେ । କେତେକ କ୍ଷେତ୍ରରେ ଅଲସରର କୌଣସି ଲକ୍ଷଣ ପ୍ରକାଶ ନ ପାଇପାରେ ।
ଏଣ୍ଡୋସ୍କୋପି ଜରିଆରେ ରୋଗୀର ଖାଦ୍ୟନଳୀ, ପାକସ୍ଥଳୀ ଏବଂ ଅନ୍ତନଳୀ ପରିଷ୍କାର ଭାବେ ଦେଖାଯାଏ । ତେବେ ଉଚିତ୍ ସମୟରେ ଅଲସରର ଚିକିତ୍ସା କରାଇଲେ ଏହା ଭଲ ହୋଇଥାଏ । ଅଲସରର ଚିକିତ୍ସା ପୂର୍ବରୁ ଦେଖିବାକୁ ହୁଏ ଯେ, ଏହା କେଉଁ ପ୍ରକାରର ଅଲସର। ଏଥିପାଇଁ ସେହି ସ୍ଥାନରୁ ମାଂସ ନେଇ ବାୟୋପ୍ସି କରିବାକୁ ହେବ। ଯଦି କ୍ୟାନ୍ସରସ୍ ଅଲସର, ତେବେ ସର୍ଜରୀ କିମ୍ବା କେମୋଥେରାପି କିମ୍ବା ରେଡିଓଥେରାପି ଦରକାର ପଡ଼ିପାରେ। ରୋଗୀର ସମସ୍ୟାକୁ ଦେଖି ଚିକିତ୍ସା ଭିନ୍ନ ଭିନ୍ନ ପ୍ରକାରର ରହିଥାଏ ।