ଓଡ଼ିଶା 365 (ବ୍ୟୁରୋ):ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ଦେଖି ୟୁଜର୍ସମାନେ ରାଗିବା ସହ ବଲିଉଡର ବିଗ୍ ବି ମଧ୍ୟ ଦୃଢ଼ ନିନ୍ଦା କରିଛନ୍ତି । ଏଭଳି ଭିଡିଓ ଦେଖିବା ପରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡିକୁ ଭୁଲ ସୂଚନା ସହ ଲଢିବା ପାଇଁ ସେମାନଙ୍କ ଆଇନଗତ ଅଧିକାର ମନେ ପକାଇଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର Xରେ ଆଇଟି ନିୟମ ଅଧିନରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଗୁଡିକୁ ଆଇନଗତ ଦାୟିତ୍ୱବୋଧକୁ ମନେ ପକାଇଦେଇଛନ୍ତି । ସେ ଲେଖିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ସରକାର ଇଣ୍ଟରନେଟର ଉପଯୋଗ କରୁଥିବା ସମସ୍ତ ଡିଜିଟାଲ୍ ନାଗରିକଙ୍କ ସୁରକ୍ଷା ଓ ବିଶ୍ୱାସ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ଅଟେ’। ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୩ ଏପ୍ରିଲରେ ଅଧିସୂଚୀତ ଆଇଟି ନିୟମ ଅନୁସାରେ, ୟୁଜର୍ସ ଯେପରି କୌଣସି ଭୁଲ ସୂଚନା ପୋଷ୍ଟ ନକରିବେ ତାହା ସୁନିଶ୍ଚିତ କରିବା ପ୍ଲାଟଫର୍ମର ଆଇନଗତ ଦାୟିତ୍ୱ ଅଟେ । କୌଣସି ୟୁଜର କିମ୍ୱା ସରକାରଙ୍କ ଦ୍ୱାରା ରିପୋର୍ଟ କରାଯିବା ପରେ ସେ ତାହାକୁ ହଟାଇବ ଦରକାର । ଯଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏହି ନିୟମର ପାଳନ ନକରନ୍ତି ତେବେ ତାଙ୍କୁ ଆଇପିସି ନିୟମ ଅନୁସାରେ କୋର୍ଟକୁ ଟଣାଯାଇପାରେ । ‘ଡିପ୍ଫେକ୍ ହେଉଛି ଭୁଲ ସୂଚନାର ନୂଆ ଓ ସବୁଠୁ ଅଧିକ କ୍ଷତିକାରକ ରୂପ ଅଟେ । ଏହାର ମୁକାବିଲା କରିବା ନିହାତି ଦରକାର।’
ସେପଟେ ନିଜର ଏଭଳି ନକଲି ଖରାପ ଭିଡିଓ ଦେଖି ଦୁଃଖ ପ୍ରକାଶ କରିଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଧାନା, ଏବଂ ଏହାକୁ ରୋକିବାକୁ ସ୍ୱର ଉତ୍ତୋଳନ କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି । ରଶ୍ମିକା ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ଅନଲାଇନରେ ଭାଇରାଲ୍ ହେଉଥିବା ମୋର ଡିପଫେକ୍ ଭିଡିଓ ବିଷୟରେ ମୋତେ ଆଲୋଚନା କରିବାକୁ ପଡ଼ୁଛି। ଏହା ଅତି ଭୟଙ୍କର ଏବଂ ଲଜ୍ଜ୍ୟାକର କଥା । କେବଳ ମୋ ପାଇଁ ନୁହେଁ, ବରଂ ଏ ସମାଜର ସମସ୍ତଙ୍କ ପାଇଁ ଯେଉଁମାନେ ଆଜି ଏହି ଟେକ୍ନୋଲୋଜୀର ଦୂରୁପଯୋଗର ଭୟଙ୍କର ପରିସ୍ଥିତିରେ ରହୁଛନ୍ତି। ଆଜି ଜଣେ ମହିଳା ଓ ଜଣେ ଅଭିନେତ୍ରୀ ହିସାବରେ, ମୁଁ ମୋ ପରିବାର, ବନ୍ଧୁବର୍ଗ ଏବଂ ଶୁଭଚିନ୍ତକଙ୍କୁ ଧନ୍ୟବାଦ ଦେବି, ଯେଉଁମାନେ ସବୁବେଳେ ମୋ ସୁରକ୍ଷା ଓ ସମର୍ଥନରେ ରହୁଛନ୍ତି।ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉବୋଲି ଦାବି କରିଛନ୍ତି ରଶ୍ମିକା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ମୁଁ ସ୍କୁଲ୍ ଓ କଲେଜରେ ପଢ଼ୁଥିବା ବେଳେ ମୋ ସହ ଏମିତି ଘଟିଥାନ୍ତା ତେବେ ମୁଁ କଳ୍ପନା ବି କରୁପାରୁନି ଯେ ମୁଁ ଏହାକୁ କେମିତି ଓ କିପରି ସମ୍ଭାଳିଥାନ୍ତି। ଏହାସହ ସେ ନିଜର ପୋଷ୍ଟକୁ ସାଇବର ପୁଲିସ ଓ ସାଇବର ଦୋଷ ଆଦିକୁ ଟ୍ୟାଗ୍ କରିଛନ୍ତି।
ସୂଚନା ମୁତାବକ, ଗତକାଲି ରଶ୍ମିକାଙ୍କ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ରଶ୍ମିକାଙ୍କ ପରି ଅବିକଳ ଦେଖାଯାଉଥିବା ଜଣେ ଯୁବତୀଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଏହି ଭିଡିଓ ମେଡାସ୍ ସାହୁ ନାମକ ଜଣେ X ୟୁଜରଙ୍କ ଆକାଉଣ୍ଟରୁ ସେୟାର ହୋଇଛି ।ଏଥିରେ ଜଣେ ମହିଳା ଲିଫ୍ଟରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ଏକ ଆପ୍ ସାହାଯ୍ୟରେ ରଶ୍ମିକା ଭଳି କରିବାକୁ ଚେଷ୍ଟା କରାଯାଇଛି । ଯାହାକୁ ୟୁଜର୍ସମାନେ ନିନ୍ଦା କରିବା ସହ, ଭିଡିଓ ଅପଲୋଡ୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୋସିଆଲ ମିଡିଆରେ ଦାବି କରିଛନ୍ତି ।