ଓଡ଼ିଶା 365 (ବ୍ୟୁରୋ): ଶ୍ରୀମନ୍ଦିର ଜଗମୋହନ ଏବଂ ରତ୍ନଭଣ୍ଡାର ମରାମତି ମାମଲାରେ ASIକୁ ବିସ୍ତୃତ ରିପୋର୍ଟ ମାଗିଲେ ହାଇକୋର୍ଟ। ୨୦୧୭ ମସିହାରୁ ଆଜି ପର୍ଯ୍ୟନ୍ତ କ’ଣ ପଦକ୍ଷେପ ନିଆଯାଇଛି ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହୋଇଛି ଦିନ ଧାର୍ଯ୍ୟ ।
ସେପଟେ କାର୍ତ୍ତିକ ମାସ ଶେଷ ପରଦିନ ଅର୍ଥାତ୍ ନଭେମ୍ବର ୨୮ ତାରିଖରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଲେଜର୍ ସ୍କାନିଂ ହେବ। ପ୍ରଥମେ ରତ୍ନଭଣ୍ଡାରର ବାହାର ପାର୍ଶ୍ବ କାନ୍ଥର ଲେଜର୍ ସ୍କାନିଂ ହେବ। ଆଉ ଆବଶ୍ୟକ ପଡ଼ିଲେ, ରତ୍ନଭଣ୍ଡାର ଭିତର ପାର୍ଶ୍ବ କାନ୍ଥର ଲେଜର୍ ସ୍କାନିଂ ହେବ । ଶ୍ରୀମନ୍ଦିର ପରିଚାଳନା କମିଟି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗକୁ ଏହି କାମ ପାଇଁ ଅନୁମତି ପ୍ରଦାନ କରିଛି। ଏଥିପାଇଁ ଏକ ବୈଷୟିକ କମିଟି ବି ଗଠନ କରାଯାଇଛି । ତେବେ କେତେଦିନ ଏହି ଲେଜର୍ ସ୍କାନିଂ ପ୍ରକ୍ରିୟା ଚାଲିବ, ସେ ଉପରେ କେହି ସ୍ପଷ୍ଟ ମତ ରଖିନାହାନ୍ତି । ଲେଜର୍ ସ୍କାନିଂ ସମୟରେ ସେବାୟତମାନଙ୍କ ସହଯୋଗ ଆବଶ୍ୟକ। , ଲେଜର୍ ସ୍କାନିଂ ଏକ ଉଚ୍ଚକ୍ଷମତା ସଂପନ୍ନ(ହାଇ ପିକ୍ସେଲ୍) କ୍ୟାମେରା ଡିଭାଇସ୍, ଯାହା ଅତି କ୍ଷୁଦ୍ର ଫାଟକୁ ବି ଦେଖାଇ ପାରିବ । ଯାହାଦ୍ବାରା ମରାମତି ସହଜ ଓ ସୁବିଧା ହେବ ।