ଓଡ଼ିଶା 365(ବ୍ୟୁରୋ): ନିଦ ହଜାଉଛି ବେନାମି ଆପରେ ବେଟିଂ। କିଛି ଆପ୍ ଖୋଲିଲେ ଆଖିପିଛୁଲାକେ ଆକାଉଣ୍ଟରୁ ଚଳୁ ହୋଇଯାଉଛି ଟଙ୍କା। ସ୍ୱଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର ନିଶା, ଅଧିକ ସୁଧ ଲୋଭ ଜନସାଧାରଣଙ୍କୁ ପଥଭ୍ରଷ୍ଟ କରିଛି। ଭିଡ଼ିଓ ଗେମ୍,ବେନାମି ଆପରେ ଟଙ୍କା ଲଗାଇଲେ ଆପଣ ପଡ଼ିପାରନ୍ତି ହରଡଘଣାରେ । ଏଭିଳି ସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା, ଅର୍ଥକୁ ସୁରକ୍ଷିତ ରଖିବା ଲାଗି, ଇଡିର ସୁପାରିଶ କ୍ରମେ କେନ୍ଦ୍ର ସରକାର ମହାଦେବ ଆପ୍ ସମେତ ୨୨ଟି ବେଟିଂ ଆପ୍କୁ ବ୍ୟାନ୍ କରିଛନ୍ତି। ଏଥିସହ ମହାଦେବ ବୁକ୍ ଏବଂ ରେଡ୍ଡି ଆନ୍ନାପ୍ରିଷ୍ଟ୍ରୋ ସମେତ ୨୨ଟି ବେଆଇନ ବେଟିଂ ଆପ୍ ଏବଂ ୱେବସାଇଟ୍ ବିରୋଧରେ ବ୍ଲକ କରିବାକୁ ନିର୍ଦ୍ଦେଶ ଦେଇଛି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ।ବେଆଇନ ବେଟିଂ ଆପ୍ ସିଣ୍ଡିକେଟ୍ ବିରୋଧରେ ଇଡି ଦ୍ୱାରା କରାଯାଇଥିବା ତଦନ୍ତ ଏବଂ ଛତିଶଗଡର ମହାଦେବ ଆପ୍ ଘୋଟାଲା ପରେ ଏହି ପଦକ୍ଷେପ ନିଆଯାଇଛି।
ଏହି ମହାଦେବ ବେଟିଂ ଆପ୍ ମାମଲାର ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ବିରୋଧରେ ତଦନ୍ତ କରୁଛି ଇଡି। ଇଡି କହିଛି ଆପ୍ ପ୍ରମୋଟର୍ସ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ୫୦୮ କୋଟିରୁ ଅଧିକ ଟଙ୍କା ଦେଇଛନ୍ତି। ସେପଟେ ମହାଦେବ ଆପ୍ ର ଅଧିକାରୀ କହିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ୫ଶହ କୋଟିରୁ ଅଧିକ ଟଙ୍କା ମହାଦେବ ଆପ୍ ରୁ ଚଳୁ କରିଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ଛତିଶଗଡରେ ରାଜନୀତି ସରଗରମ ହୋଇଛି। ସେପଟେ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ଆଇଟି ଅଧିନିୟମ ୬୯-କ ଅନୁସାରେ ଛତିଶଗଡ ସରକାର ଏହା ଉପରେ ବ୍ୟାନ ଲଗାଇପାରିଥାନ୍ତେ । କିନ୍ତୁ ଏଭଳି କିଛି ହେଲା ନାହିଁ କି, ସ୍ଥାନୀୟ ସରକାର ଏଥିପାଇଁ ଅନୁରୋଧ ବି କଲେ ନାହିଁ ,ଫଳରେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେଣୁ ଆପଣମାନେ ଯଦି ବେନାମି ଆପ୍ ବ୍ୟବହାର କରୁଛନ୍ତି ହୋଇଯାଆନ୍ତୁ ସାବଧାନ,ନଚେତ୍ ଆପଣ ବି ହୋଇପାରନ୍ତି ଠକାମୀର ଶିକାର।