ଓଡ଼ିଶା 365(ବ୍ୟୁରୋ): ପାକିସ୍ତାନରେ ଗୋଟିଏ ପରେ ଗୋଟିଏ ଆତଙ୍କବାଦୀଙ୍କ ମୃତ୍ୟୁ ଘଟୁଛି । କିଛି ଅଜଣା ଲୋକ ସେମାନଙ୍କୁ ହତ୍ୟା କରୁଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହେଉଛି । ଗତ କିଛିଦିନ ଭିତରେ ଭାରତର ମୋଷ୍ଟ ଓ୍ବାଣ୍ଟେଡ ଥିବା କିଛି ଆତଙ୍କବାଦୀଙ୍କୁ ଅଜଣା ଲୋକ ହତ୍ୟା କରୁଛନ୍ତି । ଯାହାକୁ ନେଇ ପାକିସ୍ତାନ ଗୁଇନ୍ଦା ସଂସ୍ଥାର ଟେନସନ ବଢ଼ିଛି । ଗତକାଲି ପିଓକେରେ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ୨୦୧୮ରେ ଜମ୍ମୁର ସେନା ଶିବିର ଉପରେ ଆକ୍ରମଣ କରିଥିବା ଜଣେ ମୋଷ୍ଟ୍ ଓ୍ଵାଣ୍ଟେଡ୍ ଲସ୍କର ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ଖ୍ୱାଜା ଶାହିଦ ନାମକ ଆତଙ୍କୀକୁ କିଛି ଦିନ ତଳେ କେହି ଅପହରଣ କରିନେଇଥିବା ଖବର ଆସିବା ପରେ ତାର ମୁଣ୍ଡବିହୀନ ମୃତଦେହ ମିଳିଛି। ଖ୍ୱାଜା ଶାହିଦ ଭାରତର ମୋଷ୍ଟ ଓ୍ୱାଣ୍ଟେଡ ଆତଙ୍କୀ ତାଲିକାର ରହିଥିଲା ।
୨୦୧୮ରେ ଜମ୍ମୁର ସୁଞ୍ଜୁୱାନସ୍ଥିତ ଭାରତୀୟ ସେନାର ଏକ କ୍ୟାମ୍ପ ଉପରେ ଖ୍ୱାଜା କିଛି ଆତଙ୍କବାଦୀଙ୍କ ସହ ଆକ୍ରମଣ କରିଥିଲା । ଶିବିର ଉପରେ ହୋଇଥିବା ଆକ୍ରମଣରେ ୬ ଜଣ ଯବାନ, ଜଣେ ସେନା ଅଧିକାରୀ ଏବଂ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ପାଲଟା ଅପରେସନରେ ୩ ଆତଙ୍କବାଦୀ ନିପାତ ହୋଇଥିଲେ । ଖ୍ୱାଜା ଖସି ପଳାଇଥିଲା । ତେବେ ସେ ପିଓକେରେ ରହୁଥିବା ଏବଂ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା ସହ ଆତଙ୍କବାଦୀ ଷଡ଼ଯନ୍ତ୍ରରେ ସାମିଲ ଥିଲା । ଏବେ ତାର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ତେବେ କିଏ ତାକୁ ଅପହରଣ କରି ହତ୍ୟା କରିଛି ସେ ନେଇ କିଛି ଜଣାପଡିନାହିଁ । ଗତ କିଛି ଦିନ ଭିତରେ ପାକିସ୍ତାନରେ ୧୮ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ତେବେ କିଏ ସେମାନଙ୍କୁ ହତ୍ୟା କରୁଛି ତାହା ସ୍ପଷ୍ଟ ହେଉନି ।
ପାକିସ୍ତାନ ଗଣମାଧ୍ୟମ ଅନୁସାରେ କିଛି ଅଜ୍ଞାତ ଲୋକ ଆକ୍ରମଣ କରି ଏହି ଆତଙ୍କବାଦୀଙ୍କୁ ହତ୍ୟା କରୁଛନ୍ତି । ଗତ ମାସରେ ଉତ୍ତର ୱାଜିରିସ୍ତାନରେ ଅଜ୍ଞାତ ବନ୍ଧୁକଧାରୀମାନେ ଦିନ ଦ୍ୱିପ୍ରହରରେ ଦାଉଦ ମଲିକ ନାମକ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ଗୋଟେ ପଟେ କାଶ୍ମୀରରେ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀମାନେ ନିପାତ କରୁଥିବା ବେଳେ ପାକିସ୍ତାନରେ ଲୁଚି ରହି ଭାରତ ବିରୋଧୀ କାର୍ଯ୍ୟ କରୁଥିବା ଆତଙ୍କୀମାନେ ମଧ୍ୟ ଗୋଟିଏ ପରେ ଗୋଟିଏ ନିପାତ ହେବାକୁ ନେଇ ସାମାଜିକ ଗଣମାଧ୍ୟମରେ ଏହି ଚର୍ଚ୍ଚା ଜୋରଦାର ଧରିଛି । ଏହି ଆତଙ୍କୀମାନଙ୍କୁ କିଏ ହତ୍ୟା କରୁଛି ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।