ଓଡ଼ିଶା 365 (ବ୍ୟୁରୋ): ଜନ୍ମମାଟିରେ ସମ୍ପନ୍ନ ହେଲା ସହିଦ ପ୍ରତାପ ରଞ୍ଜନ ପରିଡ଼ାଙ୍କ ଶେଷକୃତ୍ୟ। ଆଜି ସକାଳେ ଜନ୍ମମାଟି ପୁରୀ ଜିଲ୍ଲା ଗୋପ ବ୍ଲକ ମଲ୍ଲଗାଁରେ ପାର୍ଥିବ ଶରୀର ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ପରିକ୍ରମା ପରେ ମଧ୍ୟାହ୍ଣରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସହିଦ ଯବାନ ପ୍ରତାପ ରଞ୍ଜନ ପରିଡ଼ା ଅମର ରହେ ଓ ବନ୍ଦେ ମା ତରମ ନାରାରେ କମ୍ପୁଛି ପୁରା ଅଞ୍ଚଳ। କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ। ତୁହାକୁ ତୁହା ସ୍ତ୍ରୀଙ୍କର ଚେତା ଯାଉଥିବା ବେଳେ ନିଜ ଭେଣ୍ଡିଆ ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛି ମା।
ସୂଚନାଯୋଗ୍ୟ, ୫୨ ବର୍ଷୀୟ ଓଡ଼ିଆ ଯବାନ ପ୍ରତାପ ରଞ୍ଜନ ପରିଡ଼ା ସୂଦୁର ମେଘାଳୟ ଓ ବାଂଲାଦେଶ ସୀମା ତୁରା ନିକଟରେ କାର୍ଯ୍ୟରତ ସମୟରେ ଦୁର୍ବୃତ୍ତଙ୍କ ଦ୍ବାରା ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଏକ ଖାତକୁ ଗଳି ପଡିଥିଲେ। ପରେ ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରତାପ ସୀମା ସୁରକ୍ଷା ବାହିନୀର ଗୁଇନ୍ଦା ବିଭାଗରେ ହାବିଲଦାର ମେଜର ଭାବେ କାର୍ଯ୍ୟ କରୁଥିଲେ। ପ୍ରତାପ ଏକ ବାଇକ୍ରେ ସୀମାର ସମସ୍ତ କାର୍ଯ୍ୟକୁ ନୀରିକ୍ଷଣ କରୁଥିବା ସମୟରେ ଏହିଭଳି ଦୁଃଖଦ ଘଟଣା ଘଟିଥିଲା। ସୋସିଆଲ ମିଡିଆରେ ତାଙ୍କର ସହିଦ ହେବା ଖବରକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନଥିଲେ। ପୁରୀ ଜିଲ୍ଲା ଗୋପ ବ୍ଲକ ବଡତରା ପଂଚାୟତର ମଲ୍ଲଗ୍ରାମରେ ଜନ୍ମିତ ପ୍ରତାପଙ୍କ ସମେତ ତାଙ୍କ ବଡ ଭାଇ ପ୍ରେମ ରଞ୍ଜନ ପରିଡା ମଧ୍ୟ ସେନାରେ କାର୍ଯ୍ୟରତ। ବଡଭାଇ ଜାମସେଦପୁର ଟାଟାରେ କେନ୍ଦ୍ରୀୟ ସୁରକ୍ଷା ବାହିନୀରେ କାର୍ଯ୍ୟରତ ଥିବା ବେଳେ ସାନଭାଇର ସହିଦ ଖବର ପାଇ ନିଜ ଘରେ ପଂହଚିଛନ୍ତି। ପ୍ରତାପ ଙ୍କର ଗୋଟିଏ ଝିଅ ଓ ପୁଅ ଅଛନ୍ତି।