ଓଡ଼ିଶା 365 (ବ୍ୟୁରୋ): ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣାର ଆସିଲା ଭିସେରା ରିପୋର୍ଟ। ରିପୋର୍ଟରେ ସୁସ୍ମିତା କୌଣସି ନିଶାଦ୍ରବ୍ୟ, ଔଷଧ ସେବନ କରିନଥିବା ଜଣାପଡ଼ିଛି । ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟ କହୁଛି ପାଣିରେ ଶ୍ୱାସରୁଦ୍ଧ ହୋଇ ସୁସ୍ମିତାଙ୍କ ମୃତ୍ୟୁ ଘଟିଛି । ତେବେ ଭିସେରା ଯାଞ୍ଚ ପାଇଁ ଭୁବନେଶ୍ୱର ସ୍ଥିତ ଫୋରେନସିକ୍ ଲ୍ୟାବ୍କୁ ପଠାଯାଇଥିଲା । ଆଜି ଏହି ରିପୋର୍ଟର ସତ୍ୟାସତ୍ୟ ସାମ୍ନାକୁ ଆସିଛି। ତେବେ ପରିବାର ସଦସ୍ୟ ଯେଉଁମାନଙ୍କ ବିରୋଧରେ ଅଭିଯୋଗ ଉଠାଇଥିଲେ, ସେମାନଙ୍କୁ ଜେରା ସରିଲାଣି । ତଥାପି ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ଘଟଣାର ଖୁଲାସା ଆଜିଯାଏଁ ହୋଇପାରୁନି । ଏବେ ମୃତ ସୁସ୍ମିତାଙ୍କ ମୋବାଇଲ୍ ଉପରେ ଏଚ୍ଆରପିସି ଭରସା କରିଛି । ହେଲେ ସୁସ୍ମିତାଙ୍କ ମୋବାଇଲର ଲକ୍ ପାଟର୍ଣ୍ଣ ଖୋଲୁନଥିବାରୁ ତାହାକୁ ମଧ୍ୟ ଭୁବନେଶ୍ୱର ଲ୍ୟାବ୍କୁ ପଠାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।
ସୂଚନାଯୋଗ୍ୟ, ସୁସ୍ମିତାଙ୍କ ମୃତ୍ୟୁ ଘଟଣାର ତଦନ୍ତଭାର ସେପ୍ଟେମ୍ବର ୨୭ରେ ପୋଲିସ ବିଭାଗ ମାନବାଧିକାର ସୁରକ୍ଷା ସେଲ୍ (ଏଚ୍ଆରପିସି) ନେଇଥିଲା । ମୃତ୍ୟୁ ପୂର୍ବରୁ ସୁସ୍ମିତା ରହିଥିବା ଦୁଇଟି ହୋଟେଲ ରୁମ୍କୁ ଯାଞ୍ଚ କରିବା ସହ ସମ୍ପୃକ୍ତ ହୋଟେଲର ମ୍ୟାନେଜର ଓ କର୍ମଚାରୀ ଏଚ୍ଆରପିସି ଡିଏସ୍ପିଙ୍କ ନିକଟରେ ହାଜର ହୋଇଥିଲେ । ସୁସ୍ମିତାଙ୍କ ମୃତଦେହ ମିଳିଥିବା ସେନ୍ସୋରୀ ପାର୍କରେ ତଦନ୍ତକାରୀ ଟିମ୍ ପହଞ୍ଚି ତନତନ କରି ଯାଞ୍ଚ କରିଥିଲା । ପରିବାର ସଦସ୍ୟଙ୍କ ସମେତ ଅଭିଯୋଗ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ଜେରା କରିଥିଲା । ସବୁ ଦିଗରୁ ତଦନ୍ତକାରୀ ଟିମ୍ ତଦନ୍ତ ସାରିଥିଲେ ମଧ୍ୟ ହତ୍ୟାକାଣ୍ଡ ଘଟଣାର ଗୁମର ଖୋଲିନି । ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧୬ ତାରିଖରୁ ସୁସ୍ମିତା ନିଖୋଜ ଥିବା ସମ୍ପର୍କରେ ଭାଇ ସନ୍ଦୀପ ୧୭ ତାରିଖରେ ଉଦିତନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହିଦିନ ରାତି ପ୍ରାୟ ସାଢ଼େ ୯ଟାରେ ହୋଟେଲ ରାଧିକାରୁ ସୁସ୍ମିତାଙ୍କୁ ଠାବ କରିଥିଲା ପୋଲିସ । ଭାଇ ସନ୍ଦୀପ ଭଉଣୀର ସନ୍ଧାନ ମିଳିଥିବା ଖବର ପାଇ ଉଦିତନଗର ଥାନାରେ ପହଞ୍ଚିଥିଲେ । କିନ୍ତୁ ସୁସ୍ମିତା ଭାଇ ସନ୍ଦୀପଙ୍କ ସହ ଘରକୁ ଯିବାକୁ ରୋକଠୋକ୍ ମନା କରିଦେଇଥିଲେ । ୧୯ ତାରିଖ ସକାଳେ ହୋଟେଲରୁ ବାହାରିଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । କିନ୍ତୁ ସଂଧ୍ୟାରେ ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ସେନ୍ସୋରୀ ପାର୍କର ପୋଖରୀରୁ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।