ଓଡ଼ିଶା 365 (ବ୍ୟୁରୋ): ନବରଙ୍ଗପୁର ଭତରାସିଉନି ଗ୍ରାମରେ ଭାଲୁକୁ ନେଇ ଭୟର ବାତାବରଣ ଦେଖାଦେଇଛି। ପ୍ରତିଦିନ ପ୍ରାୟ ପାଞ୍ଚଟି ଭାଲୁ ଅଧ ରାତିରେ ଗାଁ ଭିତରେ ପ୍ରବେଶ କରୁଥିବା ବେଳେ ସକାଳ ଯାଏଁ ରହୁଛନ୍ତି । ଲୋକଙ୍କ ଘରେ ପଶିଯାଉଛି ଭାଲୁ। ଲୋକଙ୍କୁ ଆକ୍ରମଣ ବି କରୁଛି । ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ଏନେଇ ବାରମ୍ବାର ବନବିଭାଗକୁ ଜଣାଇଥିଲେ ହେଁ ସବୁ ଜାଣି ମଧ୍ୟ ଚୁପ୍ ବସୁଛି ବନ ବିଭାଗ ।
ଗତ ଚାରି ଦିନ ପୂର୍ବେ ଭତରାସିଉନି ଗ୍ରାମର ମନ ମାଝିଙ୍କ ଗୋଟିଏ ମେଣ୍ଢାକୁ ଭାଲୁ ମାରିଦେଇଥିବା ଗ୍ରାମବାସୀ ଅଭିଯୋଗ ଆଣିଥିବାବେଳେ, ସପ୍ତାହ ହେବ ଭାଲୁ ଗାଁ ଭିତରେ ଆସିବା ସହ ଘରେ ଘରେ ପଶୁଛି । ଅନ୍ୟପଟେ ଗାଁରେ ବାରମ୍ବାର ଭାଲୁ ପଶୁଥିବା ନେଇ ଗ୍ରାମବାସୀ ମାନେ ବାରମ୍ବାର ବନବିଭାଗକୁ ଜଣାଇ ଆସୁଛନ୍ତି । ହେଲେ ବନବିଭାଗ ଏନେଇ କୌଣସି ପଦକ୍ଷେପ ନନେଇ କେବଳ ଗାଁକୁ ଯାଇ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ସଚେତନତା କରି ଚାଲିଯାଉଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ଭବିଷ୍ୟତରେ ଭାଲୁ କିମ୍ବା ମଣିଷର ଜୀବନହାନୀ ହୋଇପାରେ ବୋଲି କହିଛନ୍ତି ଗ୍ରାମବାସୀ l ଆଉ ଏଥିପାଇଁ କେବଳ ବନ ବିଭାଗ ହିଁ ଦାୟୀ ରହିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରେମବାସୀ ।