ଓଡ଼ିଶା 365 (ବ୍ୟୁରୋ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନ ନପଙ୍ଗ ଚଣ୍ଡୀ ମା ପଡିଆ ନିକଟରୁ ସନ୍ଦେହଜନକ ଅବସ୍ଥାରେ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣକ ହେଲେ ମଣିନାଥପୁର ଗାଁର ତପସ୍ୱିନୀ ଦାସ ବୋଲି ଜଣାପଡ଼ିଛି । ସେ ବର୍ଷେ ପୂର୍ବରୁ ନପଙ୍ଗ ଗାଁ ର ସିପୁନ ଦାସଙ୍କୁ ବିବାହ କରିଥିଲେ । ସିପୁନ ଦାସ ପୂର୍ବରୁ ଜଣଙ୍କୁ ବିବାହ କରିଥିଲା ବେଳେ ତପସ୍ୱିନୀଙ୍କୁ ଭଲ ପାଇ ବାହା ହୋଇଥିଲେ । ସେ ତପସ୍ୱିନୀଙ୍କୁ ବିଭିନ୍ନ ସମୟରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ମୃତା ତପସ୍ୱିନୀଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି । ତପସ୍ବିନୀ ଗର୍ଭବତୀ ଥିବା ପରିବାର ଲୋକ କହିଛନ୍ତି ।
ଆଜି ସକାଳୁ ଚଣ୍ଡୀମା ପଡିଆ ନିକଟରେ ସନ୍ଦେହ ଜନକ ଭାବେ ତପସ୍ୱିନୀଙ୍କ ମୃତଦେହ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ତପସ୍ୱିନୀଙ୍କ ପରିବାର ଲୋକ ପହଞ୍ଚି ମୃତଦେହ ଟିହ୍ନଟ କରିବା ପରେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।