ଓଡ଼ିଶା 365 (ବ୍ୟୁରୋ): ଆଜି ବି ଭୁବନେଶ୍ୱର ଆରବିଆଇ ଅଫିସ ଆଗରେ ପ୍ରବଳ ଭିଡ଼ । ୨ହଜାର ଟଙ୍କିଆ ନୋଟ ଜମା ଓ ବଦଳ ପାଇଁ ସକାଳୁ ସକାଳୁ ଲମ୍ବା ଲାଇନରେ ଅଛନ୍ତି ଯୁବକ, ମହିଳା ଓ ବୟସ୍କ । କେବଳ ଭୁବନେଶ୍ବର ବାସିନ୍ଦା ନୁହନ୍ତି ବିଭିନ୍ନ ଜିଲ୍ଲାରୁ ଲୋକ ଆସି ଆରବିଆଇ ଅଫିସ ଆଗରେ ଲାଇନ ଲଗାଇଛନ୍ତି। କିଛି ଲୋକ କମିଶନ ନେଇ ଅନ୍ୟର ୨ ହଜାର ଟଙ୍କା ବଦଳାଉଥିବା ଅଭିଯୋଗ ହୋଇଛି । ୨୦ ହଜାର ଟଙ୍କା ବଦଳାଇବା ପାଇଁ ୨୫୦ରୁ ୩ଶହ ଟଙ୍କା କମିଶନ ନେଉଛନ୍ତି । ଏହା ଉପରେ ନଜର ରଖିଛନ୍ତି EOW ଓ ଇଡି । ଆରବିଆଇ ଅଫିସରୁ ଟଙ୍କା ବଦଳାଉଥିବା ଲୋକଙ୍କ ତଥ୍ୟ ଇଡି ନେଇଥିବା ସୂଚନା ମିଳିଛି ।
ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ୪ ମାସ ମହଲତ ଦିଆଯାଇଥିବା ବେଳେ ଲୋକମାନେ ସେତେବେଳେ କାହିଁକି ଟଙ୍କା ବଦଳାଇନଥିଲେ ? ତାକୁ ନେଇ ନାନା ପ୍ରଶ୍ନ ଉଠିଛି । ବର୍ତ୍ତମାନ କେବଳ ରିଜର୍ଭ ବ୍ୟାଙ୍କରେ ହିଁ ଲୋକମାନେ ବୈଧ ପରିଚୟପତ୍ର ଦେଇ ଏକାଥରକେ ୧୦ଟି ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ପାରୁଛନ୍ତି । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକେ ଭୁବନେଶ୍ୱର ଆରବିଆଇ ଅଫିସକୁ ଛୁଟି ଆସୁଛନ୍ତି । ଏପଟେ ଆକାଟାଉଣ୍ଟରେ ଟଙ୍କା ଡିପୋଜଟ୍ ପାଇଁ ସ୍ବତନ୍ତ୍ର ଲାଇନର ବ୍ୟବସ୍ଥ୍ୟା କରାଯାଇଛି।