ଓଡ଼ିଶା 365 (ବ୍ୟୁରୋ): ମୁଣ୍ଡ ଉପରେ ଛତିଶଗଡ଼ ଓ ମିଜୋରାମ ବିଧାନସଭା ନିର୍ବାଚନ । ସେଥିପାଇଁ ରବିବାର ସନ୍ଧ୍ୟାରୁ ଛତିଶଗଡରେ ୨୦ ଟି ଆସନ ଏବଂ ମିଜୋରାମର ସମସ୍ତ ୪୦ ଟି ଆସନ ପାଇଁ ନିର୍ବାଚନ ପ୍ରଚାର ବନ୍ଦ ହୋଇଛି। ନଭେମ୍ବର ୭, ମଙ୍ଗଳବାର ଦିନ ଏହି ଦୁଇ ରାଜ୍ୟରେ ମତଦାନ ଅନୁଷ୍ଠିତ ହୋଇଥିବାବେଳେ ଡିସେମ୍ବର ୩ ରେ ଭୋଟ୍ ଗଣନା କରାଯିବ। ଛତିଶଗଡର ଅବଶିଷ୍ଟ ୭୦ ଟି ଆସନ ପାଇଁ ନଭେମ୍ବର ୧୭ ରେ ଭୋଟ୍ ଅନୁଷ୍ଠିତ ହେବ।
ଛତିଶଗଡରେ ମଙ୍ଗଳବାର ନକ୍ସଲ ପ୍ରଭାବିତ ବସ୍ତର ଡିଭିଜନର ୧୨ ଟି ଆସନ ଏବଂ ରାଜନନ୍ଦଗାଓଁ ଅଞ୍ଚଳର ୮ ଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ସକାଳ ୭ ଟାରୁ ରାତି ୩ ଟା ପର୍ୟ୍ୟନ୍ତ ୨୦ ଟି ସିଟ୍ ମଧ୍ୟରୁ ୧୦ ଟିରେ ଭୋଟ୍ ଅନୁଷ୍ଠିତ ହୋଇଥିବାବେଳେ ବାକି ୧୦ ଟି ସିଟ୍ ଉପରେ ସକାଳ ୮ ଟାରୁ ୫ ଟା ପର୍ୟ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ପ୍ରଥମ ପର୍ୟ୍ୟାୟରେ ୨୦ ଟି ଆସନ ପାଇଁ ମୋଟ ୨୨୩ ପ୍ରାର୍ଥୀ ମୈଦାନରେ ଅଛନ୍ତି। ମୁଖ୍ୟ ପ୍ରତିଯୋଗିତା ଶାସକ କଂଗ୍ରେସ ଏବଂ ବିଜେପି ମଧ୍ୟରେ।
ଏଥି ସହିତ ମିଜୋରାମରେ ୪୦ ଟି ବିଧାନସଭା ଆସନ ପାଇଁ ୧୨୭୬ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି। ରାଜ୍ୟର ୮,୫୧,୮୯୫ ଭୋଟର ୧୭୪ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ। ରାଜ୍ୟରେ ମୁଖ୍ୟ ପ୍ରତିଯୋଗିତା ହେଉଛି ମିଜୋ ନ୍ୟାସନାଲ ଫ୍ରଣ୍ଟ, ଜୋରାମ ପିପୁଲ୍ସ ମୁଭମେଣ୍ଟ, କଂଗ୍ରେସ ଏବଂ ବିଜେପି ମଧ୍ୟରେ। ମିଜୋ, ଜୋରାମ ଏବଂ କଂଗ୍ରେସ ସମସ୍ତ ୪୦ ଟି ଆସନରେ ପ୍ରାର୍ଥୀ କରିଥିବାବେଳେ ବିଜେପି ୨୩ ଟି ଆସନରେ ପ୍ରାର୍ଥୀ କରିଛି। ଆମ୍ ଆଦମୀ ପାର୍ଟି ମଧ୍ୟ ରାଜ୍ୟର ଚାରୋଟି ଆସନରେ ପ୍ରାର୍ଥୀ ଦେଇଛନ୍ତି। ନିର୍ବାଚନରେ ମଣିପୁର ହିଂସାର ପ୍ରଭାବ ମଧ୍ୟ ଦେଖାଯିବ।